ଅଭିନବ ଠକେଇ: ବାର୍ଦ୍ଧକ୍ୟ ଭତ୍ତା ନାଁରେ ନେଇଗଲେ ଲକ୍ଷାଧିକ ଟଙ୍କା

ନୂଆପଡ଼ା: କୋମନା ବ୍ଲକ ସାହାଜେଟ ଗ୍ରାମରେ ଅଭିନବ ଉପାୟରେ ଠକେଇ ହୋଇଥିବା ନେଇ ତରବୋଡ ଫାଣ୍ଡିରେ ଅଭିଯୋଗ ହୋଇଛି। ଗତ ୨୨ ଓ ୨୩ ଡିସେମ୍ବରରେ ୩ ଜଣ ଅଜଣା ଯୁବକ ଅନ୍‌ ଗଭର୍ମେଣ୍ଟ ଡ୍ୟୁଟି ଲେଖା ହୋଇଥିବା ଏକ ଲାଲ ବୋଲେରୋରେ ସାହାଜେଟ୍‌ ଗାଁକୁ ଆସିଥିଲେ। ଯାହାର ବାର୍ଦ୍ଧକ୍ୟ ଭତ୍ତା ହୋଇ ନାହିଁ, ଅନ୍‌ଲାଇନ୍‌ରେ ଆବେଦନ କରାଯିବ ବୋଲି କହିଥିଲେ। ସେମାନଙ୍କ ସୂଚନା ଅନୁସାରେ ଗଡ଼ଗଡ଼ବାହାଲି ଓ ବାଲିପାଟିର କିଛି ଯୁବକ ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ଧରି ଆସିଥିଲେ। ସଂପୃକ୍ତ ଯୁବକମାନେ ଲାପ୍‌ଟପ୍‌ ଓ ଅନ୍ୟ ଉପକରଣ ଆଣିଥିଲେ। ସେମାନେ ଅଧାର କାର୍ଡ ଓ ଆକାଉଣ୍ଟ ନମ୍ବର ସହ ଲୋକଙ୍କ ଫିଙ୍ଗରପ୍ରିଣ୍ଟ ନେଇଥିଲେ। ଏହାର କିଛି ଦିନ ପରେ ସଂପ୍ୟକ୍ତ ଗ୍ରାମବାସୀ ତରବୋଡ ସ୍ଥିତ ଉତ୍କଳ ଗ୍ରାମ ବ୍ୟାଙ୍କ ଶାଖାକୁ ଯିବାରୁ ଶାଖା ପରିଚାଳକ ତାଙ୍କର ଜମା ଥିବା ଟଙ୍କା ଟ୍ରାନ୍ସଫର ହୋଇଯାଇଥିବା ଜଣାପଡ଼ିଥିଲା। ଲବକୁମାର ପ୍ରଧାନଙ୍କ ଜମାଖାତାରୁ ୧୦ ହଜାର ଟଙ୍କା, ରାମ କଘ୍ଲେଇ ଅହିରଙ୍କ ୫ ହଜାର, ଯଶୋଦା ଶବରଙ୍କ ୩ ହଜାର, କୈକେୟୀ ସାହୁଙ୍କ ୧୦ ହଜାର ଏପରି ଭାବରେ ମୋଟ ପ୍ରାୟ ୩୦ ହଜାର ଟଙ୍କା ଟ୍ରାନ୍‌ସଫର୍‌ ହୋଇଯାଇଛି। ଏହା ଜାଣିବା ପରେ ସେମାନେ ତରବୋଡ଼ ଫାଣ୍ଡିରେ ଅଭିଯୋଗ କରିଛନ୍ତି।
ଖଡ଼ିଆଳ: ଖଡ଼ିଆଳ ବ୍ଲକର ବିଭିନ୍ନ ଗାଁରେ ଭତ୍ତା ଅପେକ୍ଷାରେ ଥିବା ବୁଢ଼ାବୁଢ଼ୀଙ୍କୁ ଅନଲାଇନ ମାଧ୍ୟମରେ ଭତ୍ତା କରିଦେବା ନାଁରେ ଏକ ଗୋଷ୍ଠୀ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏକ ଠକ ଦଳ ନିଜକୁ ବ୍ଲକ ତଥା ପଞ୍ଚାୟତ କାର୍ଯ୍ୟାଳୟର କର୍ମଚାରୀ କହି ଘର ଘର ବୁଲି ଭତ୍ତା ଅପେକ୍ଷାରେ ଥିବା ବୁଢ଼ାବୁଢ଼ୀ, ବିଧବା, ଭିନ୍ନକ୍ଷମଙ୍କ ପାଖକୁ ଯାଇ ଅନଲାଇନ ମାଧ୍ୟମରେ ଭତ୍ତା ଆବେଦନ କରାଯିବାର ମିଛ ଆଶ୍ୱାସନା ଦେଇ ସେମାନଙ୍କ ଠାରୁ ଆଧାର କାର୍ଡର ଜେରକ୍ସ, ଅନ୍ୟାନ୍ୟ କାଗଜାତ ନେବା ସହ ଫିଙ୍ଗର ପ୍ରିଣ୍ଟ ମେସିନରେ ଫିଙ୍ଗର ପ୍ରିଣ୍ଟ ନେଇ ଅନଲାଇନ ମାଧ୍ୟମରେ ଟଙ୍କା ଠକେଇ କରୁଥିବା ଅଭିଯୋଗ ହେଉଛି। ସେମାନେ କେନ୍ଦୁପାଟି, ସାନମହେଶ୍ୱର, ଲାଞ୍ଜି ଆଦି ଗ୍ରାମକୁ ଯାଇ ଠକେଇ କରି ଲକ୍ଷାଧିକ ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି। କେନ୍ଦୁପାଟି ଗ୍ରାମର ସପୁରୀ ନିଆଲଙ୍କ ବ୍ୟାଙ୍କ ପାସବହିରୁ ୭ ହଜାର ଟଙ୍କା ନେଇଯାଇଥିବା ବେଳେ ସେ ବ୍ୟାଙ୍କକୁ ଆସି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି। ଏନେଇ ଖଡିଆଳ ବିଡିଓ ଅନିଲ କୁମାର ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ଏପରି ଠକେଇ ହେଉଥିବା ବିଷୟରେ ସେ ଖବର ପାଇ ନଥିବା ବେଳେ ଭତ୍ତା ଆବେଦନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ସହ ୱାର୍ଡସଭ୍ୟମାନଙ୍କୁ ନିଯୁକ୍ତ କରିଥିବା ପ୍ରକାଶ କରିଥିଲେ। ଏନେଇ ବ୍ଲକର ସମସ୍ତ ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ୱାର୍ଡ ସଭ୍ୟସଭ୍ୟା ମାନଙ୍କୁ ଖବର ଦିଆଯାଇ ସଚେତନ କରାଇବେ ବୋଲି କହିଥିଲେ। କ୍ଷତିଗ୍ରସ୍ତ ଲୋକେ ଥାନାରେ ଏତଲା ଦେବାକୁ ସେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର