ସ୍ଥାନୀୟ ଯୁବକଙ୍କୁ ପିଇଟି ନିଯୁକ୍ତି ଦାବିରେ ଅନଶନ:୪ ଜଣ ଡାକ୍ତରଖାନାରେ ଭର୍ତ୍ତି

ନୂଆପଡ଼ା: ସ୍ଥାନୀୟ ଯୁବକ, ଯୁବତୀଙ୍କୁ ଶାରୀରିକ ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଅନଶନ ଜାରି ରହିଛି। ଶୁକ୍ରବାର ସନ୍ଧ୍ୟାରେ ୪ ଜଣ ଗୁରୁତର ହୋଇ ପଡ଼ିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ ଜିଲ୍ଲାର ୩୭ ଜଣ ଶାରୀରିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ୨୪ ଜଣ ଜିଲ୍ଲା ବାହାର ଯୁବକ ଯୁବତୀଙ୍କୁ ଚୟନ କରାଯାଇ ଥିବାରୁ ସ୍ଥାନୀୟ ଯୁବକ ଯୁବତୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରି ବୁଧବାର ଠାରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ୧୦ ଜଣ ତାଲିମପ୍ରାପ୍ତ ଯୁବକ ଯୁବତୀ ଅନଶନରେ ବସିଛନ୍ତି। ଆଜି ପୂର୍ବାହ୍ନରେ ବିଜେପି ରାଜ୍ୟ ସଭାପତି ତଥା ସ୍ଥାନୀୟ ବିଧାୟକ ବସନ୍ତ ପଣ୍ଡା ଓ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ।

ସେହିପରି ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଟିଟୁ ପଣ୍ଡା, ଅଭିନନ୍ଦନ ପଣ୍ଡା, ତୁଲସ ପଟେଲ, ଟେକରାମ ସାହୁ, ତୋପସିଂ ମାଝୀ ମଧ୍ୟ ଧାରଣାରେ ସାମିଲ ହୋଇଥିଲେ। ଆଜି ସନ୍ଧ୍ୟାରେ ପ୍ରିୟଙ୍କା ଦଣ୍ଡସେନା, ଜୀବଲାଲ ନାଏକ, ମମତା ଦଣ୍ଡସେନା, ଦିଗେଶ୍ୱର ରାଉତ ପ୍ରମୁଖ ୪ ଜଣ ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ସକାଳେ ବିଜେପି ଭାଜପା ମୋର୍ଚ୍ଚା ତରଫରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜାତୀୟ ରାଜପଥ ୩୫୩କୁ ଅବରୋଧ କରାଯିବା ସହ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର