କେନାଲ ଭୁଶୁଡ଼ି ଚାଷଜମି ନଷ୍ଟ

o ନିର୍ମାଣର ୬ ମାସ ଗଲାନି oତଦନ୍ତ ଦାବି କଲେ କୁଲିଗାଁବାସୀ

ଖଡ଼ିଆଳ: ତିଖାଲି ଡ୍ୟାମର୍‌ ସାଇଡ୍‌ କେନାଲ କାମରେ ଦୁର୍ନୀତି ହୋଇଥିବା କୁଲିଗାଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, କେନାଲ ନିର୍ମାଣର ୬ ମାସ ମଧ୍ୟରେ ଘାଇ ସୃଷ୍ଟି ହୋଇ ଭୁଶୁଡ଼ି ଯାଇଛି। ଫଳରେ ପାଣି ଚାଷଜମିକୁ ମାଡ଼ି ଯାଇ ବାଲିଚର ହୋଇଯାଇଛି। କୁଲିଗାଁ ଗ୍ରାମର ମୁଖ୍ୟ ବାମ କେନାଲରୁ ଘରଧରା ପର୍ଯ୍ୟନ୍ତ କେନାଲ ୬ ମାସ ତଳେ ନିର୍ମାଣ ହୋଇଥିଲା। ପ୍ରଥମ ଥର ପାଇଁ ୨ ଦିନ ତଲେ ଏହି କେନାଲରେ ପାଣି ଛଡ଼ା ଯାଇଥିଲା। କାମ ନିମ୍ନ ମାନର ହୋଇଥିବାରୁ କୁଲିଗାଁ ଓ ଘରଧରା ମଧ୍ୟରେ ଅନେକ ସ୍ଥାନରେ ମାଟି ଭୁଶୁଡ଼ି ଯାଇଛି। କୁଲିଗାଁର ଚାଷୀ କର୍ଣ୍ଣ ନାଗ, ଗରୁଡ଼ଧ୍ୱଜ ଶବର, ସନାତନ ଶବର, ବଟକୃଷ୍ଣ ଶବର, ଘାସିରାମ ଶବରଙ୍କ ସମେତ ଗ୍ରାମବାସୀ ଏନେଇ ପ୍ରଶ୍ନ ଉଠାଇଛନ୍ତି। ଶାଖା କେନାଲ ପୁଣି ନିର୍ମାଣ ହେଲେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି। ଏ ବିଷୟରେ ତିଖାଲି କେନାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଶ୍ୱେତ ଜାଲିଙ୍କୁ ପଚାରିବାରୁ ଏହି କାମ ଖରିଆର ରୋଡର ଠିକାଦାର ରୂପେଶ ଅଗ୍ରୱାଲ କରିଛନ୍ତି; ତାଙ୍କୁ ପୁଣି ଏହି କାମ କରିବା ପାଇଁ କୁହାଯିବ ନହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର