ଡାକ୍ତର କାଟିଦେଲେ ମହିଳାଙ୍କ ପରିସ୍ରା ନଳି: ପରିବାର ନିୟୋଜନ ଅସ୍ତ୍ରୋପଚାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଡାକ୍ତର ପରିସ୍ରା ନଳି କାଟି ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଏହି ବ୍ଲକର କରଙ୍ଗାମାଲ ପଂଚାୟତ ଡୋଟୋ ଗାଁର ସବିତା ହଂସ (୩୦)ଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଗତ ୭ ତାରିଖ ଦିନ କରାଯାଇଥିଲା। ହେଲେ ସେହି ସମୟରେ ଡାକ୍ତର ମହିଳାଙ୍କ ପରିସ୍ରା ନଳି କାଟି ଦେଇଥିଲେ। ଫଳରେ ସବିତା ଆଜିକୁ ୮ ଦିନ ହେବ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ସବିତାଙ୍କ ଝିଅକୁ ଅଢ଼େଇ ବର୍ଷ ହୋଇଥିବା ବେଳେ ସାନ ପୁଅକୁ ୬ ମାସ ହୋଇଛି। ସବିତାଙ୍କ ସ୍ୱାମୀ ପୀତାମ୍ବରଙ୍କ କହିବା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ବାରମ୍ବାର କହିବା ପରେ ଶେଷରେ ସବିତା ଅସ୍ତ୍ରୋପଚାର ପାଇଁ ଗତ ୭ ତାରିଖ ବୋଡ଼େନ ଡାକ୍ତରଖାନାକୁ ଯାଇଥିଲେ। ଅସ୍ତ୍ରୋପଚାର ପରେ ପାଣି ବାହାରିବାକୁ ଲାଗିଲା । ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା।

ସେଠାରେ ତାଙ୍କୁ ରଖା ଯାଇ ଚିକିସା କରାଯାଉଛି। ଏ ବିଷୟରେ ଡାକ୍ତରଖାନା ଦାୟିତ୍ୱରେ ଥିବା ଡାକ୍ତର ପୁଣ୍ୟବନ୍ତ ମହାପାତ୍ରଙ୍କୁ ପଚାରିବାରୁ ପରିସ୍ରା ନଳିରେ ଟିକେ କଟି ଯାଇଛି, ତାହା ଠିକ ହୋଇଯିବ ବୋଲି କହିଥିଲେ। ଅସ୍ତ୍ରୋପଚାର ପୂର୍ବରୁ ପରିସ୍ରା କରିବା କଥା; କିନ୍ତୁ ଏହା ନକରିବାରୁ ଏପରି ହୋଇଛି ବୋଲି କହିଥିଲେ। ଘଟଣାର ୮ ଦିନ ବିତି ଯାଇଥିଲେ ମଧ୍ୟ ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ଘଟିବା ପରିବର୍ତ୍ତେ ସଂକଟାପନ୍ନ ହୋଇପଡିଛି। ପୀତାମ୍ବର ଗରିବ ଶ୍ରେଣୀର ହୋଇଥିବାରୁ ସ୍ୱାମୀ ଓ ସ୍ତ୍ରୀ କୁଲି ମଜୁରି କରି ପରିବାର ପ୍ରତିପୋଷଣ କରନ୍ତି। ସେମାନଙ୍କର ଦୁଇଟି ପିଲା ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ବାଧ୍ୟ କରାଯାଉଥିଲା। ହେଲେ ଏହି ଗିରବ ପରିବାର ଶେଷରେ ଅସ୍ତ୍ରୋପଚାର ପାଇଁ ରାଜି ହୋଇଥିଲେ। ଶେଷରେ ଏପରି ଘଟଣା ନେଇ ଏହି ଦମ୍ପତି ଭାଙ୍ଗି ପଡ଼ିଛନ୍ତି। ଏହି ଘଟଣାର ତଦନ୍ତ ସହ ସଂପୃକ୍ତ ପରିବାରକୁ ସମସ୍ତ ଚିକିତ୍ସା ସହାୟତା ସରକାର ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର