ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ଜଡ଼ାମୁଣ୍ଡା ଗାଁରେ ଗତ ୧୭ ସେପ୍ଟେମ୍ବର ୨୦୧୪ ଦିନ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ ଅଭିମନ୍ୟୁ ବାରିକଙ୍କୁ ଗୁରୁବାର ଜିଲ୍ଲା ଦୌରାଜଜ୍‌ ଅସୀମ ଦଳବେହେରା ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ଆହୁରି ଅଧିକ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଜଡାମୁଣ୍ଡା ଗାଁର ଅଭିମନ୍ୟୁ ବାରିକ ପ୍ରାୟ ୭ ବର୍ଷ ପୂର୍ବେ ଜୋଙ୍କ ଥାନା କଲ୍ୟାଣପୁର ଗ୍ରାମର ସୁଫଲ ବାରିକଙ୍କ ଝିଅ ପ୍ରମିଲା ବାରିକଙ୍କୁ ବିବାହ କରିଥିଲେ। କିଛି ବର୍ଷ ପରେ ପୁଣି ଅଭିମନ୍ୟୁ ଦ୍ୱିତୀୟ ବିବାହ କରିଥିଲେ। ଏହାକୁ ବିରୋଧ କରିବାରୁ ଅଭିମନ୍ୟୁ ପ୍ରମିଳାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲା। ୨୦୧୪ ସେପ୍ଟେମ୍ବର ୧୭ ତାରିଖରେ ଅଭିମନ୍ୟୁ ଶ୍ୱଶୁର ଘରକୁ ଯାଇ ପ୍ରମିଳାଙ୍କ ଦେହ ଖରାପ ଥିବା କହି ଶାଶୂ ଓ ଶ୍ୱଶୁରଙ୍କୁ ଡାକି ଆଣିଥିଲା। ସେମାନେ ଆସି ପ୍ରମିଳାଙ୍କ ମୃତୁ ହୋଇ ଯାଇଥିବା ଦେଖିବାକୁ ପାଇଥିଲେ। ପ୍ରମିଳାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା କୋମନା ଥାନାରେ ଏତଲା ଦେଇଥିଲେ। ଗୁରୁବାର ଏହି ମାମଲାର ରାୟ ପ୍ରକାଶ ପାଇଥିଲା। ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଜିଲ୍ଲା ଦୌରାଜଜ୍‌ ଶ୍ରୀ ଦଳବେହେରା ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ନିଦର୍ଶନୀ ରଥ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର