ଭିଜିଲାନ୍ସ ପଞ୍ଝାରେ ଖଡ଼ିଆଳ କେନ୍ଦୁପତ୍ର ଡିଏଫଓ

ଖଡ଼ିଆଳ : ଲାଞ୍ଚ ନେଇ ଶନିବାର ରାତିରେ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଲକ୍ଷ୍ମୀକାନ୍ତ ମିଶ୍ର। ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଚଢ଼ଉ କରି ତାଙ୍କଠାରୁ ୨ ଲକ୍ଷ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଛି।

ଭିଜିଲାନ୍‌ସ ବିଭାଗ ସୂତ୍ରରୁ ପ୍ରକାଶ ଯେ, କୋମନା ବ୍ଲକ ଲଖନା ଠାରେ ଏକ ରେଞ୍ଜ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୩ ଲକ୍ଷ ୫୦ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏଥପାଇଁ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଲଖନା ରେଞ୍ଜର ପର୍ଶୁରାମ ପଟେଲଙ୍କୁ ୨ ଲକ୍ଷ ୨୦ ହଜାର ଟଙ୍କା ଦାବି କରିଥିଲେ। ଶନିବାର ରାତିରେ ରେଞ୍ଜର ଟଙ୍କା ଦେଉଥିବା ବେଳେ ଭିଜଲାନ୍ସ ଅଧିକାରୀମାନେ ଚଢ଼ଉ କରି ଡିଏଫଓଙ୍କୁ ଗିରଫ କରିଥିଲେ। ତାଙ୍କ ହାତ ଧୋଇବାରୁ ନାଲି ପାଣି ବାହାରିବା ସହ କେମିକାଲେ ବୋଳା ଟଙ୍କା ସବୁ ତାଙ୍କ ଠାରୁ ଜବତ କରିଥିଲେ।

ସେହିପରି ତାଙ୍କ ସରକାରୀ ବାସଭବନ ଉପରେ ଅଧିକାରୀମାନେ ଚଢ଼ଉ କରିବା ବେଳେ ନଗଦ ୮ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲେ। ରବିବାର ଗିରଫ ଶ୍ରୀ ମିଶ୍ରଙ୍କୁ ଭବାନୀପାଟଣାସ୍ଥିତ ଭିଜଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଏହି ଚଢ଼ଉରେ ଜୟପୁର ଭିଜିଲାନ୍ସ ଏସପି ହରେକୃଷ୍ଣ ବେହେରା, ରାୟଗଡ଼ା ଡିଏସପି କୁମାର ବିଶ୍ୱାଳ, ନୂଆପଡ଼ା ଡିଏସପି ସତ୍ୟବାନ ମହାନନ୍ଦ ସାମିଲ ଥିଲେ।

ସମ୍ବନ୍ଧିତ ଖବର