ନୂଆପଡ଼ା ଜିଲ୍ଲା କୃଷି ଉପନିର୍ଦେଶକଙ୍କୁ ଅଭିଯୋଗ:ମିନି ରାଇସ୍‌ ମିଲ୍‌ କିଣାରେ ଚଞ୍ଚକତା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଚାଷୀଙ୍କ ନାମରେ ମିନି ରାଇସ୍‌ମିଲ କିଣାରେ ଚଞ୍ଚକତା କରାଯାଇଥିବା ଜିଲ୍ଲା କୃଷି ଉପ ନିର୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ବିଶୋର ପଞ୍ଚାୟତ ଅନ୍ତର୍ଗତ ବାବନକେରା ଗାଁର ରମେଶ ମାଝୀ ୫ ମାସ ପୂର୍ବେ ମିନି ରାଇସମିଲ ପାଇଁ ଆବେଦନ କରିଥିଲେ। ଯୋଗାଣ ସଂସ୍ଥା ତାଙ୍କଠାରୁ ସମସ୍ତ କାଗଜପତ୍ର ନେଇଥିଲେ ଏବଂ ତାଙ୍କୁ ମାତ୍ର ୧୨ ହଜାର ଟଙ୍କା ଦେବାକୁ କହିଥିଲେ। ହେଲେ ତାଙ୍କୁ କୈାଣସି ସ୍କିମ ବାବଦରେ  ସଠିକ ବିବରଣୀ ଦିଆଯାଇ ନଥିଲା। ଗତ ଫେବ୍ରୁଆରି ୨ ତାରିଖ ଦିନ ତାଙ୍କ ଆକାଉଣ୍ଟକୁ ୮୦ ହଜାର ଟଙ୍କା ଆସିଥିଲା। ଏହା ପରେ ସଂପୃକ୍ତ ଯୋଗାଣକାରୀ ସଂସ୍ଥାର କର୍ମଚାରୀମାନେ ବାରମ୍ବାର ତାଙ୍କ ଘରକୁ ଆସି ବ୍ୟାଙ୍କ ଆକଉଣ୍ଟରେ ଜମା ହୋଇଥିବା ସବସିଡି ଟଙ୍କାଙ୍କୁ ଉଠାଣ କରି ଦେବାକୁ ତାଗିଦ କରୁଛନ୍ତି। ଟଙ୍କା ଫେରାଇବା ପରେ ତାଙ୍କୁ ମିନି ରାଇସମିଲ ମେସିନ ଦିଆଯିବ ବୋଲି କହୁଛନ୍ତି। ତାଙ୍କୁ ବାରମ୍ବାର ଧମକ ଦିଆ ଯାଉଥିବାରୁ ସେ ଏବଂ ତାଙ୍କ ଘର ଲୋକେ ମାନସିକ ଚାପରେ ଥିବା ସେ ପ୍ରକାଶ କରିଛନ୍ତି।

ଏ ସଂପର୍କରେ ଶ୍ରୀ ମାଝୀ ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କୁ ଜଣାଇବା ପରେ ସେ କୃଷି ଉପନିର୍ଦେଶକଙ୍କୁ ଘଟଣାର ତଦନ୍ତ କରିବାକୁ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୋଗ ସଂପର୍କରେ ଯୋଗାଣ ସଂସ୍ଥା ସାଇ ଏଣ୍ଟରପ୍ରାଇଜେସ୍‌ ନାମକ ସଂସ୍ଥାର କର୍ମଚାରୀଙ୍କୁ ପଚରାଯିବାରୁ  ‘ଆମେ ତାଙ୍କୁ ସବସିଡି ବିଷୟରେ ଜଣାଇଥିଲୁ; ଚାଷୀଙ୍କ ଆକଉଣ୍ଟକୁ  ଆସିଥିବା ୮୦ ହଜାର ଟଙ୍କା ସହିତ ଆହୁରି ୧୨ ହଜାର ଟଙ୍କା ଦେଲେ ତାଙ୍କୁ  ମିନି ରାଇସମିଲ ଦିଆଯିବ ବୋଲି କୁହାଯାଇଛି। ହେଲେ ସେ ଟଙ୍କା ଫେରସ୍ତ କରୁ ନଥିବାରୁ ମିନି ରାଇସମିଲ ପାଉ ନାହାନ୍ତି’ ବୋଲି ସେ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଡିଡିଏ ଉମେଶ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ‘ମୁଁ ଆପଣଙ୍କ ଠାରୁ ଘଟଣା ବିଷୟରେ ଅବଗତ ହେଲି; ମୁଁ ଭୁବନେଶ୍ୱରରେ ଅଛି; ମୁଁ ଗଲା ପରେ ଉକ୍ତ ଘଟଣାର ତଦନ୍ତ କରିବି; ମେସିନ ବସିବା ପୂର୍ବରୁ କିମ୍ବା କୌଣସି ଫିଜିକାଲ ଫେରଫିକେସନ ହେବା ପୁବର୍ରରୁ କେମିତି ଚାଷୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ଆସିଲା ଏହା  ସଂପୃକ୍ତ ସଂସ୍ଥାର ସଲାସୁତରା ହୋଇପାରେ’ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୫ବର୍ଷରେ ମଧ୍ୟ ରୋଟାଭେଟର ଯୋଗାଣ ସଂସ୍ଥା ଓ କିଛି କୃଷି ଅଧିକାରୀ ରୋଟାଭେଟର ଯୋଗାଣ ନକରି ସବସିଡି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ  ହୋଇଥିଲା। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ପରେ  ସତ୍ୟତା ଜଣା ପଡ଼ିଥିଲା।

ସମ୍ବନ୍ଧିତ ଖବର