ବାଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କୁ ଠକେଇ: ୪୦ ଲକ୍ଷ ଟଙ୍କା ନେଇଗଲେ ଶ୍ୱଶୁର ଘର ଲୋକେ

ମହଙ୍ଗା ପଡ଼ିଲା ଅନ୍‌ଲାଇନ ପ୍ରେମ

ନୂଆପଡ଼ା,: ମହଙ୍ଗା ପଡ଼ିଲା ଅନ୍‌ଲାଇନ୍‌ ପ୍ରେମ। ଏକ ବିଦେଶୀ ଏୟାର ଲାଇନ୍‌ସରେ ଏୟାର ହୋଷ୍ଟେସ୍‌ ଥିବା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କଠାରୁ ତାଙ୍କ ଶ୍ୱଶୁର ଘର ଲୋକେ ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ଯୁବତୀ ଜଣକ ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ଜୋଙ୍କ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଥାନା କେସ୍‌ ନଂ ୧୪୫/୨୦୧୭ରେ ମାମଲା ରୁଜୁ କରି ତଦନ୍ତ କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଖଡ଼ିଆଳ ଅଞ୍ଚଳର ଉକ୍ତ ଯୁବତୀ ବିଦେଶର ଏକ ଏୟାରଲାଇନ୍‌ସରେ ଏୟାରହୋଷ୍ଟେସ ଭାବେ କାମ କରନ୍ତି। ତାଙ୍କ ସହିତ ଅନ୍‌ଲାଇନରେ ବନ୍ଧୁତା ସ୍ଥାପନ କରି ବାଙ୍ଗାଲୁରୁର ଜଣେ ଯୁବକ ତାଙ୍କୁ ପ୍ରେମଜାଲରେ ଫସାଇଥିଲେ। ଉଭୟ ଘର ପକ୍ଷରୁ କଥା ଛିଣ୍ଡିବା ପରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାଜଧାନୀ ରାୟପୁରରେ ବାହାଘର ସଂପନ୍ନ ହୋଇଥିଲା। ବାହାଘର କିଛି ଦିନ ପୂର୍ବରୁ ପରିବାରର ଆର୍ଥିକ ଦୁର୍ବଳ ଥିବା ଆଳ ଦେଖାଇ ପୁଅର ବାପା ଓ ମା’ ପରବର୍ତ୍ତୀ ସମୟରେ ଫେରାଇ ଦେବେ ବୋଲି କହି ୨୫ଲକ୍ଷ ଟଙ୍କା ମାଗିଥିଲେ।

ଏହି ଟଙ୍କା କାରବାର ସଂପର୍କରେ କାହାରିକୁ ନ କହିବାକୁ ଝିଅ ଘରଲୋକଙ୍କୁ ପ୍ରବର୍ତ୍ତାଇଥିଲେ। ଉକ୍ତ ୨୫ ଲକ୍ଷ ଟଙ୍କାରେ ରାୟପୁର ଠାରେ ବାହା ଘର ସଂପନ୍ନ ହୋଇଥିଲା। ହେଲେ ବାଙ୍ଗଲୁରୁ ଠାରେ ହେବାକୁ ଥିବା ରିସେପସନ୍‌ ପାର୍ଟି ଆଉ ହୋଇପାରି ନଥିଲା। ଯାହାକୁ ନେଇ ଝିଅ ଘର ଲୋକେ ଯୁକ୍ତିତର୍କ କରିଥିଲେ। କିଛି ଦିନ ପରେ ଝିଅ ନିଜ କର୍ମକ୍ଷତ୍ରକୁ ଚାଲି ଯାଇଥିଲେ। ତେବେ ଘର ଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ପଠାଇବାକୁ ଝିଅକୁ ଶ୍ୱଶୁର ଘର ଲୋକେ ନିର୍ଦେଶ ଦେଉଥିଲେ। ଝିଅ ମଧ୍ୟ ଲକ୍ଷ ଲକ୍ଷ କରି ପ୍ରାୟ ୧୫ ଲକ୍ଷ ଟଙ୍କା ଶଶୁର ଘର ଲୋକଙ୍କୁ ଦେଇଥିଲେ। ପ୍ରାୟ ୨ ଲକ୍ଷଟଙ୍କା ମାସିକ ଦରମା ପାଉଥିବା ଅଭିଯୋଗକାରୀ ଯୁବତୀ ଶେଷରେ ନିଜ ସ୍ୱାମୀଙ୍କ ପାଖରେ ରହିବାକୁ ମନସ୍ଥ କରିଥିଲେ।

ଶ୍ୱଶୁର ଘର ଲୋକେ ବୋହୂଙ୍କୁ ସୁଖରେ ରଖିବା ବଦଳରେ ଟଙ୍କା ପାଇଁ ଅନେକ ସମୟରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ଯାହା କୁ ସହି ନପାରି ବାଙ୍ଗାଲୁରୁ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସେଠାକାର ପୁଲିସ ମଧ୍ୟସ୍ଥତା କଲା ପରେ ୧୨ ଲକ୍ଷ ଟଙ୍କା ଫେରାଇବା ପାଇଁ ଶ୍ୱଶୁର ଘର ଲୋକ ରାଜି ହୋଇ ଏକ ଚେକ୍‌ ଦେଇଥିଲେ। ହେଲେ ଆକାଉଣ୍ଟରେ ଟଙ୍କା ନଥିବାରୁ ଚେକଟି ବାଉନସ୍‌ ହୋଇ ଯାଇଥିଲା। ଏହାକୁ ନେଇ ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଜୋଙ୍କ ଥାନାରେ ଯୁବତୀ ଅଭିଯୋଗ କରିଥିଲେ। ଜୋଙ୍କ ଥାନା ପୁଲିସ ଏହାର ତଦନ୍ତ କରି ଗତ ୮ ତାରିଖ ଦିନ ବାଙ୍ଗଲୁରୁରୁ ଅଭିଯୁକ୍ତ ଅଜିଜ ଅଲିମଙ୍କୁ ଗିରଫ କରି ନୂଆପଡ଼ା ଆଣିଛି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜୋଙ୍କ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର