ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ରାଜପଥ ଅବରୋଧ

ତରବୋଡ଼: ନୂଆପଡ଼ା ଜିଲ୍ଲା ତରବୋଡ଼ଠାରେ ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ବୁଧବାର ଅଧଘଣ୍ଟା ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି। ସୂଚନା ଅନୁସାରେ କୁରୁମ୍‌ପୁରି ଷ୍ଟ୍ରକଚରରୁ ବିଦ୍ୟୁତ ଯୋଗାଣ ହେଉଥିବା ପ୍ରାୟ ୧୦ଟି ପଞ୍ଚାୟତରେ ୩ ଦିନ ହେବ ବିଦ୍ୟୁତ୍‌ ନାହିଁ। ବର୍ତ୍ତମାନ ତାପମାତ୍ରା ୪୨ ଡିଗ୍ରି ଉପରେ ରହୁଥିବା ବେଳେ ବିଦ୍ୟୁତ୍‌ ନଥିବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେପଟେ ବୋରେଓ୍ଵଲରେ ଚାଷ କରିଥିବା ବହୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବିଦ୍ୟୁତ ବିଭାଗର ଯେ କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଫୋନ କଲେ ସବୁ ବେଳେ ସୁଇଚ୍‌ ଅଫ ରହୁଛି କିମ୍ବା ବ୍ୟସ୍ତ ଥିବା ଉତ୍ତର ଆସୁଛି। ସେଥିପାଇଁ ଗତ ମାସ ୬ ତାରିଖ ଦିନ ତରବୋଡ଼ରେ ରାତି ୯ଟାରୁ ୧୧ଟା ପର୍ଯ୍ୟନ୍ତ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଓ ବିଦ୍ୟୁତ୍‌ ଆସିବାରୁ ରାସ୍ତାରୋକ ଉଠିଥିଲା। ପୁଣି ସେହି ସମସ୍ୟା ହେବାରୁ ବୁଧୁବାର ରାତି ୮ ଟାରୁ ତରବୋଡ଼ ଗ୍ରାମର ଶତାଧିକ ଜନସାଧାରଣ ବାଧ୍ୟ ହୋଇ ରାଜରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ବହୁତ ଗାଡ଼ି ଅଟକି ରହିଥିଲା। ପରେ ସାଢ଼େ ୮ଟାରେ ନୂଆପଡ଼ା ଏସ୍‌ପି ସ୍ମିତ ପି. ପରମାର ଧାରଣାସ୍ଥଳକୁ ଆସି ଜନସାଧାରଣଙ୍କୁ ବୁଝାଇ ଥିଲେ। ତାଙ୍କୁ ଲେଖିକି ଦେଲେ ତାଙ୍କ ବିଭାଗ ପକ୍ଷରୁ ସମସ୍ୟାର ଯଥାଶିଘ୍ର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ଆଶ୍ୱାସନା ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର