ସିନାପାଲିରେ କଂଗ୍ରେସର ବିଶାଳ ସମାବେଶ:‘ଶାସକ ଦଳର ଦଲାଲ ସାଜିଛି ପ୍ରଶାସନ’

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ବୁଧବାର କଂଗ୍ରେସର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ନେତାମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ବିଷୋଦଗାର କରିବା ସହିତ ସ୍ଥାନୀୟ ପ୍ରଶାସନ ଉପରେ ବର୍ଷିଥିଲେ। ପ୍ରଶାସନ ଶାସକ ଦଳର ଦଲାଲ ସାଜି ଦୁର୍ନୀତିରେ ଲିପ୍ତ ରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ। ସିନାପାଲି ବ୍ଲକ ଦୁର୍ନୀତିରେ ବୁଡ଼ି ରହିଛି। ଏଠାରେ ବ୍ୟାପକ ପିସି କାରବାର ଚାଲିଛି। ବିଡିଓ ଶାସକ ଦଳର ଦଲାଲ ଭାବେ କାମ କରୁଛନ୍ତି। ଅଫିସ ସମୟ ବାହାରେ ବିଳମ୍ବିତ ରାତି ଯାଏ ଅଫିସରେ ଆଡ୍‌ଡା ଜମୁଛି। ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି ପିସିସି ସଂପାଦକ ଅଧିରାଜ ପାଣିଗ୍ରାହୀ।

ପ୍ରଶାସନର ସେହିପରି କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ, ପିସିସି କାଯ୍ୟର୍କାରୀ ସଭାପତି ପ୍ରଦୀପ ମାଝୀ, ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ପ୍ରମୁଖ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ବହୁ କଂଗ୍ରେସ କର୍ମୀ ଓ ସାଧାରଣ ଜନତା ଏକ ବିଶାଳ ର‍୍ୟାଲିରେ ଆସି ବ୍ଲକ ଅଫିସ ସମ୍ମୁଖରେ ସମବେତ ହୋଇଥିଲେ। ସେଠାରେ ବ୍ଲକ କଂଗ୍ରେସ ସଭାପତି ଖଗେଶ୍ୱର ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଦଳର ତୁଙ୍ଗ ନେତାମାନେ ବକ୍ତବ୍ୟ ରଖିଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୫ ଦଫା ସମ୍ବଳିତ ଏକ ଦାବିପତ୍ର ଦିଆଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ଗତ ଖରିଫ ଋତୁର ଫସଲବୀମା ପ୍ରଦାନ, ପିସି କାରବାର ସଂପୂର୍ଣ୍ଣ ବନ୍ଦ କରିବା, ଉଦନ୍ତୀ ନଦୀରେ ବ୍ୟାରେଜ ନିର୍ମାଣ, ସିନାପାଲିକୁ ଏନଏସି ଘୋଷଣା, ମନରେଗାରେ ବକେୟା ପାଉଣା ପ୍ରଦାନ ଆଦି ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ଫାରୁଖ ଖାଁ, ଗୋଦାବରୀଶ ନାଏକ, ହୀରାଧର ମେହେର, ଗିରିରାଜ ମାଝୀ, ତୁଲେଶ୍ୱର ନାଏକ, କପିଳ ଭୋଇ, ଜନ୍ମେଜୟ ସିଂହଦେଓ, ଅକ୍ଷୟ ନନ୍ଦ, ଜୟପାଲ ନାଗ, ଶ୍ୟାମସୁନ୍ଦର କୁଲଦୀପ, ତ୍ରିନାଥ ମେହେର, କିଶୋର କୁମାର, ମେଘନାଥ ଖର୍ସେଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର