ମିଳିଲା ହତ୍ୟା ଧମକ, ନ୍ୟାୟ ପାଇଁ ଏସଡିପିଓଙ୍କୁ ଭେଟିଲେ:ସହଯୋଗୀଙ୍କୁ ମାଡ଼

ଆରଟିଆଇ ସୂଚନା ପାଇଁ ଜମି ବନ୍ଧା ପକାଇ ୩୧ ହଜାର ଜମାକଲେ

ନୂଆପଡ଼ା: ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବାରୁ କୋମନା ଥାନା ଅନ୍ତର୍ଗତ ତରବୋଡ଼ ପଞ୍ଚାୟତ ଧରମପୁର ଗାଁର ୱାର୍ଡସଭ୍ୟ ମାଧବ ମାଝୀ (୪୯)ଙ୍କୁ ହତ୍ୟା ଧମକ ଦିଆଯାଇଛି। ସେହିପରି ତାଙ୍କ ସହଯୋଗୀ ଧରମସାଗର ଗାଁର ପ୍ରେମାନନ୍ଦ ମାଝୀ (୪୯)ଙ୍କୁ ମାଡ଼ ମରାଯାଇଛି। ନ୍ୟାୟ ପାଇଁ ସେମାନେ ଗୁରୁବାର ଏସ୍‌ଡିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସବୁଠୁ ଚାଞ୍ଚଲ୍ୟକର ବିଷୟ ହେଉଛି ଏହି ତଥ୍ୟ ପାଇବାରେ ଖର୍ଚ୍ଚ ବାବଦକୁ ମାଧବ ମାଝୀ ୩୧ ହଜାର ଟଙ୍କା ଜମା କରିଛନ୍ତି। ଏଥିପାଇଁ ତାଙ୍କ ଚାଷ ଜମିକୁ ବନ୍ଧା ପକାଇବାକୁ ପଡ଼ିଛି ବୋଲି ସେ ପ୍ରକାଶ କରିଛନ୍ତି।
ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ତରବୋଡ଼ ପଞ୍ଚାୟତ ଧରମପୁର ଗାଁର ୱାର୍ଡସଭ୍ୟ ଶ୍ରୀ ମାଝୀ ୨୦୧୭ ମସିହାର ତରବୋଡ଼ ପଞ୍ଚାୟତ ଗୋହିରାପଦର, ଧରମପୁରରେ ଦୁଇଟି ମନରେଗା କାମର ତଥ୍ୟ ଆରଟିଆଇରେ ମାଗିଥିଲେ। ସମସ୍ତ ଖର୍ଚ୍ଚ ବାବଦକୁ ୩୧ ହଜାର ଟଙ୍କା ମଧ୍ୟ କୋମନା ବ୍ଲକ୍‌ ଅଫିସରେ ଜମା କରିଥିଲେ। କିଛି ମାସ ବିତି ଯାଇଥିଲେ ମଧ୍ୟ ତାଙ୍କୁ କୌଣସି ସୂଚନା ମିଳି ନଥିଲା। ଗତ ୧୯ ତାରିଖ ଦିନ ତରବୋଡ଼ ପଞ୍ଚାୟତରେ ସମସ୍ତ ଅଧିକାରୀ ଏବଂ ଜନପ୍ରତିନିଧି ଏକ ବୈଠକରେ ଉପସ୍ଥିତ ଥିଲେ। ଏହି ସମୟରେ ସୈାଭାଗ୍ୟ ଗହୀର, ଭେସକୁମର ସେଠୀ, ପରସ ସେଠୀ ମିଶି ଆରଟିଆଇରେ ତଥ୍ୟ ମାଗିଥିବାରୁ ଓ୍ଵାର୍ଡସଭ୍ୟ ଶ୍ରୀ ମାଝୀଙ୍କୁ ଗାଳିଗୁଲଜ କରିଥିଲେ ଏବଂ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହାର ପ୍ରତିବାଦରେ ସେ ନିକଟସ୍ଥ ଫାଣ୍ଡିକୁ ଯାଇଥିଲେ। ପରେ ଏ ନେଇ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରିଥିଲା। ସେହିପରି ମାଧବଙ୍କ ସହଯୋଗୀ ପ୍ରେମାନନ୍ଦ ଏକ ବର୍ଷରୁ ଅଧିକ ହେବ ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ମାଧବଙ୍କ ସଙ୍ଗେ କୁଳିମଜୁରି କାମ କରି ଆସୁଥିଲେ। ଗତ ୧୯ ତାରିଖ ଦିନ ତରବୋଡ଼ ପଞ୍ଚାୟତର ବୈଠକକୁ ମାଧବଙ୍କ ସହିତ ଯାଇଥିଲେ। ପରେ ବସଷ୍ଟାଣ୍ଡ ନିକଟରେ ବୁଲାବୁଲି କରୁଥିବା ବେଳେ ସୌଭାଗ୍ୟ ଗହୀର ତାଙ୍କୁ ଡାକିନେଇ ସରପଞ୍ଚଙ୍କ ପୁଅ ଶ୍ରୀକାନ୍ତ ପ୍ରଧାନଙ୍କ ଢାବା ଭିତରକୁ ଟାଣି ନେଇଥିଲେ। ସେଠାରେ ସୈାଭାଗ୍ୟ ଓ ଶ୍ରୀକାନ୍ତ ଉଭୟେ ମିଶି ତାଙ୍କୁ ଗୋଇଠାରେ ମାଡ଼ ମାରିଥିଲେ। ‘ମାଧବ ସହିତ ମିଶି ଆରଟିଆଇ ମାଗିଛ; ଏହାକୁ ପ୍ରତ୍ୟାହାର ନକଲେ ଜୀବନରେ ମାରିଦେବୁ’ ବୋଲି ତାଙ୍କୁ ଧମକ ଦେଇଥିବା ସେ କୋମନା ଥାନାରେ ଲଖିତ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ଯଥାକ୍ରମେ କେସ ନଂ ୩୨ ଏବଂ କେସ୍‌ ନଂ ୩୩ରେ ଦୁଇଟି ମାମଲା ରଜୁ କରିଛି।
ଆଦିବାସୀ ଗରିବ ଶ୍ରେଣୀର ମାଧବଙ୍କୁ ବିିଭିନ୍ନ ସମୟରେ ଧମକ ମିଳୁଥିବାରୁ ସେ ଭୟଭୀତ ହୋଇ ନ୍ୟାୟ ପାଇଁ ଗୁରୁବାର ଆଦିବାସୀ ନେତା ଘାସିରାମ ମାଝୀଙ୍କ ସହ ମିଶି ଏସଡିପିଓ ବିଦ୍ୟୁତ ପଣ୍ଡାଙ୍କୁ ସାକ୍ଷାତ କରିଥିଲେ। ମାଧବ ଏବଂ ପ୍ରେମାନନ୍ଦଙ୍କ ସହିତ ଘଟଣାସ୍ଥଳରେ ଉପସ୍ଥିତ ୩ ଜଣ ସାକ୍ଷୀ ମଧ୍ୟ ଏ ଅବସରରେ ଉପସ୍ଥିତ ଥିଲେ। ପ୍ରେମାନନ୍ଦ ଆହୁରି ଗଣମାଧ୍ୟମକୁ ଜଣାଇଛନ୍ତି ଯେ ତାଙ୍କୁ ମାଡ଼ ମାରିବା ସମୟରେ ତାଙ୍କ ପ୍ୟାଣ୍ଟ ଓ ସାର୍ଟ ଚିରି ଦେବା ସହିତ ତାଙ୍କର ପାଖରେ ଥିବା ମୋବାଇଲ ଫୋନ ଏବଂ ମାଧବଙ୍କ ଡିଜେଲ ଆଣିବା ବାବଦକୁ ୪୭୦୦ଟଙ୍କା ନେଇ ଯାଇଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏସଡିପିଓ ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ ଆଟ୍ରୋସିଟି ଆକ୍ଟ ହୋଇଥିବାରୁ ମାମଲାର ତଦନ୍ତ ଭାର ତାଙ୍କୁ ମିଳିଛି; ଏ ନେଇ କୋମନା ଥାନାରେ ୨ଟି କେସ ରୁଜୁ ହୋଇଛି; ଏହାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରକାଶ କରିଥିଲେ।
ଅଭିଯୋଗ ସଂପର୍କରେ କୋମନା ବ୍ଲକ୍‌ର ସୂଚନା ଅଧିକାରୀ ଦାୟିତ୍ୱରେ ଥିବା ବିଜୟ ନାୟକଙ୍କୁ ପଚରାଯିବାରୁ ‘ଆର୍‌ଟିଆରେ ଆବେଦନ ପରେ ତଥ୍ୟଗୁଡ଼ିକ ପଞ୍ଚାୟତରୁ ମିଳିବ ବୋଲି ତରବୋଡ଼ ଇଓଙ୍କୁ ଜଣାଇ ଦିଆ ଯାଇଥିଲା; ଇଓଙ୍କ ହିସାବ ପରେ ୩୧ ହଜାର ଟଙ୍କା ଓ୍ଵାର୍ଡସଭ୍ୟ ଶ୍ରୀ ମାଝୀଙ୍କ ଠାରୁ ରଖା ଯାଇଥିଲା; ଇଓ ହିଁ ତଥ୍ୟ ଦେବା ପରେ ସେ ଦେଇ ପାରିବେ’ ବୋଲି କହିଥିଲେ।

ସମ୍ବନ୍ଧିତ ଖବର