ପୁଣି ବାଘ ଆତଙ୍କ, ୨ଟି ବାଛୁରୀଙ୍କୁ ମାରି ଖାଇଲା କଲରାପତିରିଆ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ତଥା ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ କଟିଙ୍ଗପାନି ଗାଁରେ ଗୁରୁବାର ସକାଳେ ୨ଟି ବାଛୁରୀଙ୍କୁ କୌଣସି ହିଂସ୍ର ଜନ୍ତୁ ମାରି ଖାଇ ଦେଇଥିବା ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ଉକ୍ତ ଜାଗାରେ ପହଞ୍ଚି ତଦନ୍ତ କରିଥିଲେ। ପ୍ରକାଶ ଯେ ଲୋଡ୍ରା ଗାଁର କ୍ଷେମଚନ ମାଝୀ ତାଙ୍କ ୨ଟି ବାଛୁରୀଙ୍କୁ ଚରାଇବା ପାଇଁ କଟିଙ୍ଗପାନି ଗାଁର କୁଶଳ ମାଝୀଙ୍କୁ ଦେଇଥିଲେ। କୁଶଳଙ୍କ ଗୁହାଳରେ ତାଙ୍କ ଗାଈ ସାଙ୍ଗରେ ବାଛୁରୀ ଦ୍ୱୟ ଥିଲେ। ବୁଧବାର ମଧ୍ୟ ରାତ୍ରିରେ କୌଣସି ଶବ୍ଦ ହୋଇଥିଲା। ସକାଳୁ ଦେଖିବା ବେଳେ ୨ଟି ବାଛୁରୀ ମରି ପଡ଼ିଥିଲେ। ବଡ଼ ବାଛୁରୀଟିକୁ ପୂରା ଖାଇ ଦେଇଥିବା ବେଳେ ସାନ ବାଛୁରୀର ଦେହରେ ଆଘାତ ଲାଗିଥିଲା ଓ ସେ ମରି ପଡ଼ିଥିଲା। ଏ ସମ୍ପର୍କରେ ସୁନାବେଡ଼ା ବନଖଣ୍ଡ ଡିଏଫଓ ଗଦାଧର ପାତ୍ରଙ୍କୁ ପଚାରିବାରୁ ତଦନ୍ତରୁ କଲରାପତିରିଆ ବାଘର କାମ ହୋଇଥାଇ ପାରେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର