ଅପହଞ୍ଚ ଭାଓସିଲରେ ବିକାଶ ବାଟବଣା

ନୂଆପଡ଼ା (ବିଭୁଦତ୍ତ ଗୁରୁ): ଆଜିର ଦିନରେ ବି ଗ୍ରାମ ପଞ୍ଚାୟତ ସଦର ମହକୁମାକୁ ରାସ୍ତା ଖଣ୍ଡିଏ ନାହିଁ। ଗର୍ଭବତୀ ଓ ରୋଗୀ ଡାକ୍ତରଖାନ ଠିକ ସମୟରେ ପହଞ୍ଚି ପାରନ୍ତି ନାହିଁ। ସେହିଭଳି ଗ୍ରାମ ହେଉଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସୋସେଙ୍ଗ ପଞ୍ଚାୟତର ଭାଓସିଲ ଗାଁ। ଆଜି ବି ଜିଲ୍ଲାର ଅନେକ ଗାଁ ବିକାଶର ବହୁ ଦୂରରେ ଦଣ୍ଡାୟମାନ ହୋଇ ସେଠାକାର ଅଧିବାସୀ ଅବହେଳିତ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଏହି ଗାଁ ସୁନାବେଡ଼ା ଅଭ୍ୟାରଣ୍ୟରେ ରହିଥିବା ବେଳେ ଚାରିପଟେ ଘେରି ରହିଛି ଘଞ୍ଚ ଜଙ୍ଗଲ। ସମୁଦ୍ର ପତ୍ତନ ଠାରୁ ୩ ହଜାର ଫୁଟ ଉଚ୍ଚ। ଗାଁରେ ରହନ୍ତି ପ୍ରାୟ ୫୦ଜଣ ଭୁଞ୍ଜିଆ ସମ୍ପ୍ରଦାୟର ଲୋକ। ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ରହିଛି ଏହି ଗ୍ରାମ।
ପଞ୍ଚାୟତ ଅଫିସର ଦୂରତା: ସୋସେଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ଉକ୍ତ ଗ୍ରାମ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି। ପାହାଡ଼ିଆ ରାସ୍ତା ଥିବାରୁ କୈାଣସି ଗାଡ଼ିମଟର ଯିବା ଆସିବା ସମ୍ଭବପର ହୁଏ ନାହିଁ। ଗ୍ରାମ ବିକାଶର ବହୁ ଦୂରରେ ରହିଥିବା ବେଳେ ସମସ୍ତ ମୌଲିକ ସେବା ଅପହଞ୍ଚ ହୋଇଛି।
ପିଡିଏସ ଚାଉଳ ନେବା ପାଇଁ ଲୋକଙ୍କୁ ୧୫ କିମି ଦୂରକୁ ଯିବାକୁ ପଡ଼େ। ତେଣୁ ପିଡିଏସ ଚାଉଳ ପାଇଁ ରାତି ୪ଟାରୁ ଆସି ସନ୍ଧ୍ୟାରେ ଫେରିବା ବେଳକୁ ରାତି ହୋଇ ଯାଇଥାଏ। ଯେଉଁଦିନ ଡେରି ହୋଇ ଯାଇଥାଏ ସେ ଦିନ ରାତିରେ ପଞ୍ଚାୟତରେ ରହିବାକୁ ପଡ଼େ। ଗ୍ରାମବାସୀଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପିଡିଏସ ସାମଗ୍ରୀ, ବୁଢ଼ାବୁଢ଼ୀଙ୍କ ଭତ୍ତା, ଗର୍ଭବତୀମାନେ ଡାକ୍ତରଖାନା ଯିବାକୁ ହେଲେ ଘଞ୍ଚ ଜଙ୍ଗଲ ମଧ୍ୟରେ ଅତିକ୍ରମ କରିଯିବାକୁ ପଡୁଛି। କିନ୍ତୁ ଏପଟେ ନୂଆପଡ଼ା ବ୍ଲକ୍‌ର ଭରୁଆମୁଣ୍ଡା ପଞ୍ଚାୟତ ମାତ୍ର ୭କିମି ହେଉଛି। ତେଣୁ ବହୁ ଥର ନୂଆପଡ଼ା ବ୍ଲକ୍‌ ଭରୁଆମୁଣ୍ଡା ପଞ୍ଚାୟତରୁ ସମସ୍ତ ସାମଗ୍ରୀ ଆଣିବା ପାଇଁ ବ୍ୟବସ୍ଥା କରାଯାଉ ନଚେତ ଭାଓସିଲରୁ ସୋସେଙ୍ଗ ପଞ୍ଚାୟତର ଦେଓସିଲକୁ ଭଲ ରାସ୍ତା କରାଯାଉ ବୋଲି ସନ୍ତରାମ ଭୁଞ୍ଜିଆ ଏବଂ ଗ୍ରାମବାସୀ ଦାବି କରିଛନ୍ତି।
ରାସ୍ତା ଓ ସ୍ୱାସ୍ଥ୍ୟ ସେବା: ଗ୍ରାମକୁ ଯାତାୟାତ ପାଇଁ ଭଲ ସଡ଼କ ଖଣ୍ଡିଏ ନଥିବା ବେଳେ ବିଶେଷ ରୂପେ ଗର୍ଭବତୀ ମହିଳାମାନେ ପ୍ରଭାବିତ ହେଉଛନ୍ତି। ବର୍ଷ ତମାମ ଏହି ଗ୍ରାମବାସୀ ଗମନା ଗମନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ବର୍ଷା ଚାରିମାସ ଏହି ସମସ୍ୟା ଦ୍ୱିଗୁଣିତ ହୋଇଥାଏ। ଫଳରେ ଗ୍ରାମକୁ ୪ଚକିଆ କିମ୍ବା ୨ ଚକିଆ ଯାନ ଚଳାଚଳ ବନ୍ଦ ରହିଥାଏ।
ଗ୍ରାମକୁ ଜରୁରିକାଳୀନ ସେବା ମଧ୍ୟ ଅପହଞ୍ଚ ହୋଇଥାଏ। ଗ୍ରାମରେ ଗର୍ଭବତୀ ମହିଳା ରହିଥିବା ବେଳେ ସେମାନଙ୍କ ମାସିକ ଚିକିତ୍ସା କିମ୍ବା ପ୍ରସବ ଯନ୍ତ୍ରଣା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ନେବା ଏକ ବିରାଟ ସମସ୍ୟା ଅଟେ। ଗତ ଏପ୍ରିଲ ୨୦ ତାରିଖରେ ଗ୍ରାମର ଗୈାରୀବାଇ ଭୁଞ୍ଜିଆଙ୍କୁ ସନ୍ଧ୍ୟା ୫ଟାରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୨ ଆମ୍ବୁଲେନସକୁ ଟାୱାର ଆସୁଥିବା ଜାଗାକୁ ଆସି ଗ୍ରାମର ଲୋକେ ଫୋନ କରିଥିଲେ। ହେଲେ ରାସ୍ତା ଅତ୍ୟନ୍ତ ଶୋଚନୀୟ ଥିବା ହେତୁ ଆମ୍ବୁଲାନସ ଆସି ପାରି ନଥିଲା କି ତାଙ୍କୁ ହସ୍‌ପିଟାଲ ନିଆ ଯାଇ ପାରି ନଥିଲା। ତାଙ୍କ ହୋସ ଆସିବା ପରେ ସେ ମୃତ ସନ୍ତାନ ଜନ୍ମ ଦେଇଥିବା ଜାଣି ପାରିଥିଲେ ବୋଲି ଗୈାରୀ ପ୍ରକାଶ କରିଛନ୍ତି। ଭାଓସିଲ ଗ୍ରାମରେ ୨୦୧୪ ମସିହାରେ ଅଜଣା ରୋଗରେ ଯେଉଁ ଭୁଞ୍ଜିଆ ସମ୍ପ୍ରଦାୟର ୭ଜଣ ଶିଶୁ ମୃତ୍ୟୁ ବରଣ କରିଥିଲେ ତାଙ୍କ ପରିବାରକୁ ମଧ୍ୟ କୈାଣସି ସହାୟତା ମିଳିପାରି ନାହିଁ ବୋଲି ଲାଲତୁ ଭୁଞ୍ଜିଆ ଏବଂ ଅନ୍ୟମାନେ ପ୍ରକାଶ କରନ୍ତି।
ବିଜୁଳି ସେବା: ଗତ ଜାନୁଆରି ୭ ତାରିଖରେ ଉକ୍ତ ଗାଁ ଲୋକେ ପ୍ରଥମେ ବିଜୁଳି ଦେଖିଥିଲେ। ହେଲେ ଗତ ଏପ୍ରିଲ ୭ ତାରିଖରେ ବିଦ୍ୟୁତ ତାର ଜଳିଯାଇ ଥିବାରୁ ଲୋକେ ପୁଣି ଯେଉଁ ଅନ୍ଧାରକୁ ସେହି ଅନ୍ଧାରରେ ରହୁଛନ୍ତି।
ପାଣି: ପାଣି ସମସ୍ୟା ମଧ୍ୟ ଗ୍ରୀଷ୍ମ ଋତୁରେ ଗ୍ରାମବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଯାଏ। ତା’ ସହିତ ପୁଣି ଗାଈଗୋରୁ ଛେଳି ମେଣ୍ଢାଙ୍କ ପାଇଁ ପାଣି ଦରକାର। ନଳକୂଅ ୩ଟି ଅଛି। କିନ୍ତୁ, ଯେତେବେଳେ ନଳକୂଅ ଖରାପ ହୋଇଯାଇ ଥାଏ ବାଧ୍ୟ ହୋଇ ଲୋକେ ହାତରୁ ଟଙ୍କା ଖର୍ଚ୍ଚ କରି ଭରୁଆମୁଣ୍ଡା ଗ୍ରାମ ପଞ୍ଚାୟତରୁ ମରାମତି କରିବା ପାଇଁ ଲୋକେ ଡାକନ୍ତି ବୋଲି ପ୍ରକାଶ କରିଛନ୍ତି।
ବାର୍ଦ୍ଧକ୍ୟ ଭତ୍ତା: ଗ୍ରାମର ଧନୀରାମ ଭୁଞ୍ଜିଆ, ଖେଜା ବାଇ ଭୁଞ୍ଜିଆ, ସତୀରାମ ଭୁଞ୍ଜିଆ, ସାମବାଇ ଭୁଞ୍ଜିଆ, ଧୀରାଜ ଭୁଞ୍ଜିଆ, ଭାନୁପ୍ରସାଦ ଭୁଞ୍ଜିଆ, ରାୟପ୍ରସାଦ ଭୁଞ୍ଜିଆ, ମୋହନ ଭୁଞ୍ଜିଆ ପ୍ରମୁଖ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିବା ବେଳେ ଜନେରାମ ଭୁଞ୍ଜିଆ, ଚଞ୍ଚଳ ଭୁଞ୍ଜିଆ ବିକଳାଙ୍ଗ ଭତ୍ତାରୁ ବଞ୍ଚି ଅଛନ୍ତି। ସେହିପରି କୁନ୍ତିବାଇ ଭୁଞ୍ଜିଆ ବିଧବା ଭତ୍ତାରୁ ବଞ୍ଚିତ। ସମସ୍ତେ କାଗଜ ପତ୍ର ଦେଇସାରି ମଧ୍ୟ ଭତ୍ତାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି।
ମନରେଗା ଯୋଜନା: କାମ କଲେ ଟଙ୍କା ମିଲୁ ନଥିବାରୁ ଏଠିକାର ଲୋକେ ମନରୋଗା କାମ କରବାକୁ ଚାହାଁନ୍ତି ନାହିଁ ବୋଲି ପ୍ରକାଶ କରନ୍ତି। କେବେ କେମତି ସରକାରୀ ବାବୁମାନେ ନିହାତି ଜରୁରି କାର୍ଯ୍ୟରେ ଗାଁକୁ ଆସନ୍ତି। ଭାଉସିଲରୁ ରାଜକେନ୍ଦୁପଡ଼ା ପର୍ଯ୍ୟନ୍ତ ୪ଲକ୍ଷ ଟଙ୍କାର ରାସ୍ତା କାମରେ ଗ୍ରାମବାସୀ କାମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି।
ସାଡ଼ା ଯୋଜନା: ସାଡ଼ା ଯୋଜନାରେ ୨୦୧୩- ୧୪ ମସହିାରେ ଘର ତିଆରି କରିଥିଲେ ସୁଦ୍ଧା ସମସ୍ତ କିସ୍ତି ଟଙ୍କା ମିଳି ନଥିବା ଅଭିଯୋଗ ହୋଇଛି। ଘର ସମ୍ପୂର୍ଣ୍ଣ ହୋଇଥିଲେ ତାଙ୍କୁ ୧୬,୫୩୦ ଟଙ୍କା ମଜୁରି ବାବଦରେ ଦିଆଯିବ ବୋଲି କୁହାଯାଇଥିଲା। ହେଲେ ତାହା ମଧ୍ୟ ମିଳି ପାରି ନାହିଁ। ସେହିପରି ଗ୍ରାମର ରାମପ୍ରସାଦ ଭୁଞ୍ଜିଆ, ସାନଦେଓ ଭୁଞ୍ଜିଆ, ମାଳତୀବାଇ ଭୁଞ୍ଜିଆ, ଧନିଚା ବାଇ ଭୁଞ୍ଜିଆ, ଜିରାବାଇ ଭୁଞ୍ଜିଆ, ଅର୍ଜୁନ ଭୁଞ୍ଜିଆ ପ୍ରମୁଖଙ୍କ ଘର ଅଧା ତିଆରି ହୋଇଥିବାରୁ ମଧ୍ୟ ଖରା, ବର୍ଷା, ଶୀତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ମରୁଡ଼ି ସବସିଡ଼ି: ଗ୍ରାମର ସମସ୍ତ ପରିବାର କୃଷିକାର୍ଯ୍ୟ ଉପରେ ନିର୍ଭର କରି ନିଜ ଜୀବିକା ନିର୍ବାହ କରିଥାନ୍ତି। ହେଲେ ସ୍ୱଳ୍ପ ବର୍ଷା ସେମାନଙ୍କ ଚାଷକୁ ନଷ୍ଟ କରିଦେଉଛି। ଗତ ୨ ବର୍ଷରୁ ତାଙ୍କୁ ମରୁଡ଼ି ସବସିଡି ଟଙ୍କା ମିଳି ପାରି ନାହିଁ ବୋଲି ଭରତରାମ ଭୁଞ୍ଜିଆ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି।
ଅଙ୍ଗନବାଡ଼ି ଗୃହ ଅଧପନ୍ତରିଆ: ଗାଁର ଅଙ୍ଗନବାଡ଼ି କେନ୍ଦ୍ର ସିବିଡିଏ ତରଫରୁ ଥିବା ଏକ ଗୃହରେ ଚାଲିଛି। ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ରୁ ୨୦ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ ୫ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ କାମ ସରୁ ନାହିଁ।
କେନ୍ଦୁପତ୍ର ଫଡ଼ି: ଗାଁର ଲୋକେ ବଣଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ବେଳେ କେନ୍ଦୁପତ୍ର ତୋଳି ଦୁଇ ପଇସା ରୋଜଗାର କରିଥାନ୍ତି ହେଲେ ଫଡ଼ି ବନ୍ଦ ହୋଇ ଯାଇଥିବା ବେଳେ ଭରୁଆମୁଣ୍ଡାସ୍ଥିତ କେନ୍ଦୁପତ୍ର ଫଡ଼ିକୁ ଯିବା କଷ୍ଟକର ହେଉଛି।
ପୁଲିସ ଓ ମାଓବାଦୀ: ଗ୍ରାମଟି ମାଓ ଅଧୁଷିତ ଅଞ୍ଚଳ ହୋଇଥିବାରୁ ଏପଟେ ମାଓବାଦୀଙ୍କ ବନ୍ଧୁକ ଅପର ପଟେ ପୁଲିସର ନାଲି ଆଖି ଯୋଗୁଁ ଭୟଭୀତ ଅବସ୍ଥାରେ ରହୁଥିବା ଅଭିଯୋଗ ହେଉଛି।
ଓଡ଼ିଶା ଏବଂ ଛତିଶଗଡ଼ ସୀମାରେ ଥିବାରୁ ଏହି ଗାଁ ଅବହେଳିତ ହୋଇ ପଡ଼ି ରହିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହିତ ପାନୀୟ ଜଳର ନାନା ଅସୁବିଧା ହେବା ସହ ଲୋକେ ଭୟରେ ରହୁଛନ୍ତି। କେବଳ ନିର୍ବାଚନ ସମୟରେ ନେତାମାନଙ୍କର ଦେଖା ମିଳେ। ହେଲେ ସମସ୍ୟା ଶୁଣି ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି। ଫଳରେ ଏହି ଗ୍ରାମକୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପାଇଁ ପ୍ରଶାସନ ଜରୁରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର