ମାଲପଡ଼ାରେ ଜଳ ସଂକଟ

ଖଡ଼ିଆଳ: ଖଡିଆଳ ବ୍ଲକ ମାଲପଡ଼ାବାସୀ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଏହି ଗାଁରେ ହଜାରେରୁ ଅଧିକ ଲୋକ ରହୁଛନ୍ତି। ଏମାନଙ୍କ ପାଇଁ ନଳ କୂଅଟିଏ ମଧ୍ୟ ନାହିଁ। ପ୍ରତିଦିନ ଗାଁର ମହିଳା ଓ ପୁରୁଷମାନେ ୨ କିମି. ଦୂରରେ ଖଡିଆଳ- ଭବାନୀପାଟଣା ମୁଖ୍ୟ ରାସ୍ତାର ସର୍ଗାଦି ଛକଠାରେ ଥିବା ନଳକୂଅକୁ ଆଣିବାକୁ ଯାଇଥାଆନ୍ତି। ଏ ଅଞ୍ଚଳରେ ଥିବା ନଦୀ, ନାଳ, କୂଅ ଓ ପୋଖରୀ ଆଦି ଶୁଖି ଯାଇଥିବା ବେଳେ ପ୍ରଶାସନ ତରଫରୁ ସୁନ୍ଦର ନଦୀରୁ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ଏଯାଏଁ ହୋଇ ପାରି ନାହିଁ। ଫଳରେ ପ୍ରତିକୂଳ ପରିସ୍ଥିତିରେ ବି ଲୋକେ ଦୂରଦୂରାନ୍ତରୁ ପାଣି ସଂଗ୍ରହ କରିଥାନ୍ତି।

ଖରାଦିନେ ଏହି ସମସ୍ୟା ଜଟିଳ ହୋଇପଡ଼େ। ନଳକୂଅ ପାଖରେ ପାଣି ବାଲ୍‌ଟିଏ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼େ। ଏପରିକି ମହିଳାମାନେ ନିକଟସ୍ଥ ସୁନ୍ଦର ନଦୀ ବାଲିରେ ଚୁଆଁ ଖୋଲି ପାନୀୟ ଜଳ ସଂଗ୍ରହ କରିଥାନ୍ତି। ଏହି ପାଣି ବ୍ୟବହାର କରିବା ଦ୍ୱାରା ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତହେଉଥିବା ଅଭିଯୋଗ କରିଛନ୍ତି। ସେହିପରି ଏହି ବ୍ଲକ୍‌ର ବଡଦୁହେଲ ମାଲପଡା ଗାଁ ସମେତ ରାଣୀପୁର ଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି। ଗ୍ରୀଷ୍ମ ଋତୁରେ ସମସ୍ୟା ଦ୍ୱିଗୁଣିତ ହୋଇପଡ଼େ। ରାଣୀପୁର ଗାଁରେ ପାନୀୟ ଜଳ ପାଇଁ କୈାଣସି ବିକଳ୍ପ ବ୍ୟବସ୍ଥା ମହିଳାମାନେ ନଲକୂଅର ଫ୍ଲୋରାଇଡ ପାଣି ବ୍ୟବହାର କରୁଛନି ଓ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏନେଇ ଖଡିଆଳ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ବଡଦୁହେଲ ମାଲପଡା ଓ ରାଣୀପୁର ଗାଁରେ ଖୁବଶୀଘ୍ର ନଲକୂଅ ଖନନ କରିବା ସହ ମେଘା ପ୍ରୋଜେକ୍ଟ ମାଧ୍ୟମରେ ପାଇପ ଯୋଗେ ଜଳ ଯୋଗାଣ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର