ପତ୍ନୀହନ୍ତାକୁ ଆଜୀବନ

ନୂଆପଡ଼ା: ବୁଧବାର ଜିଲ୍ଲା ଦୌରାଜଜ ଅସୀମ ଦଳବେହେରା ଏକ ମାମଲାର ବିଚାର ଜଣେ ପତ୍ନୀହନ୍ତାକୁ ୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣ ପରେ ଆଜୀବନ କାରାଦଣ୍ଡାଦେଶ ଏବଂ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୧ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।
ଜୋଙ୍କ ଥାନା କୁଲିଆବନ୍ଧା ଗ୍ରାମର ନେହେରୁ ସତନାମୀ ତାଙ୍କ ସ୍ତ୍ରୀ ମାଳତି ସତନାମୀଙ୍କୁ ୨୩ ଏପ୍ରିଲ ୨୦୧୪ ରାତି ୭ଟା ସମୟରେ ଗୋଡ଼ାଇ ଗୋଡ଼ାଇ କାଠ ଫାଳିଆରେ ମାରୁଥିବା ଦୃଶ୍ୟ ଗ୍ରାମର କେତେଜଣ ଯୁବକ ଦେଖିଥିଲେ। ପରେ ମାଳତିଙ୍କ ମୃତ୍ୟୁ ଘଟିଥିଲା। ୨୪ ତାରିଖ ଦିନ ନେହେରୁ ଘର ପଛ ପଟରେ ଥିବା ତାଙ୍କ ଚାଷ ଜମିରେ ପତ୍ନୀଙ୍କ ଶବକୁ ପୋତି ଦେଇଥିଲେ। ଏନେଇ ତାଙ୍କ ସଂପର୍କର୍ୀୟ ଭାଇ ହେମଲାଲ ସତନାମୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ ନଂ ୭୫/୧୪ ଦଫା ୩୦୨/୨୦୧ରେ ଏକ ମାମଲା ରୁଜୁ କରି ନେହେରୁଙ୍କୁ ଗିରଫ କରିଥିଲା। ଆଜି ଉକ୍ତ କେସର ବିଚାର କରି ମାନ୍ୟବର ଜିଲ୍ଲା ଦୌରାଜଜ ୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣ ପରେ ନେହେରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାଛଡ଼ା ୧୦ ହଜାର ଟଙ୍କା ଏବଂ ଦଫା ୨୦୧ରେ ୩ ବର୍ଷ କାରାଦଣ୍ଡାଦେଶ ସହିତ ୨ ହଜାର ଟଙ୍କା ଜରିମାନା ନିର୍ଦେଶ କରିଛନ୍ତି। ସରକାରଙ୍କ ତରଫରୁ ଓକିଲ ନିଦର୍ଶନୀ ରଥ କେସ ପରିଚାଳନା କରୁଥିବାବେଳେ ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ବିଶ୍ୱମଣି ପାଣିଗ୍ରାହୀ କେଶ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର