ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ନୂଆପଡ଼ା: ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୋଗରେ ବୁଧବାର ଦିନ ନୂଆପଡ଼ା ଜିଲ୍ଲା ଦୌରାଜଜ ଅସୀମ କୁମାର ଦଳବେହେରା ସ୍ବାମୀ କନହଲ ମାଝୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏହା ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିବା ଏବଂ ଜରିମାନା ଅନା‌ଦେୟ ଜେଲଦଣ୍ଡ ୧ ବର୍ଷ ବୃଦ୍ଧି ପାଇଁ ରାୟ ଦେଇଛନ୍ତି। ସୂଚନା ମୁତାବକ, ୨୦୧୫ ମସିହା ଅକ୍ଟୋବର ୧୦ ତାରିଖ ଦିନ ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ପଞ୍ଚାୟତ ଗୌତମା ଗ୍ରାମର କନହଲ ମାଝୀ(୪୦) ଓ ସ୍ତ୍ରୀ ବିମଳା ମାଝୀ(୩୫)ଙ୍କ ମଧ୍ୟରେ ପରିବାର କଳହକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ କନହଲ ରାଗି ଯାଇ ସ୍ତ୍ରୀଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସେ ସମୟରେ ବିମଳାଙ୍କ ପାଖରେ ୨ ଜଣ ଶିଶୁ ଈଶ୍ବର ଓ ଜନକ ଥିବାରୁ ଏହା ଦେଖି ଭାଇବୋହୂ କିଆଫୁଲ ମାଝୀ ଓ ‌ବେଲମତି ମାଝୀ ଟାଙ୍ଗିଆ ଛଡାଇବାକୁ ଯାଇଥିବା ବେଳେ ସେମାନେ ମଧ୍ୟ ଆହତ ହୋଇଥିଲେ। ପରେ ବିମଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କୋମନା ପୁଲିସ ଶବ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ଘଟଣାରେ ନୂଆପଡ଼ା ଜିଲ୍ଲା ଦୌରାଜଜ ଅସୀମ କୁମାର ଦଳବେହେରା ୧୫ ଜଣ ସାକ୍ଷ୍ୟ ପ୍ରମାଣ ନେଇ କନହଲଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତ। ଏହି କେସକୁ ସରକାରୀ ପିପି ନିଦର୍ଶନୀ ରଥ ଓ ମୁଦାଲ ପକ୍ଷରୁ ଧର୍ମବୀର ଯୋଷୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର