ନୀହାରିକାକୁ ତା’ର ପ୍ରେମିକ ରାଜା ହତ୍ୟା କରିଥିଲା: ଏସ୍‌ପି ଆର ପ୍ରକାଶ

ଜଗତସିଂହପୁର: ନର୍ସ ନୀହାରିକା ପାତ୍ରଙ୍କୁ ତା’ର ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜା ହତ୍ୟା କରିଛି। ଜଗତସିଂହପୁର ଏସ୍‌ପି ଆର ପ୍ରକାଶ ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବିବାହ ପ୍ରସ୍ତାବକୁ  ନୀହାରିକା ସ୍ୱୀକାର କରି ନ ଥିବାରୁ ରାଜା ପ୍ରତିଶୋଧ ପରାୟଣ ହୋଇ ହତ୍ୟା ପାଇଁ ଯୋଜନା କରିଥିବା ଅନୁମାନ କରାଯାଉଛି । ଦୀର୍ଘ ୫ ବର୍ଷ ଧରି ନୀହାରିକା ଓ ରାଜା ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ମାତ୍ର  ରାଜା ବେରୋଜଗାର ହୋଇଥିବାରୁ  ବିବାହକୁ ନୀହାରିକା ଗୁରୁତ୍ୱ ଦେଉ ନ ଥିବାରୁ ରାଜା ତା’ ଉପରେ ଅସନ୍ତୁଷ୍ଟ ଥିଲା। ହୁଏତ ଏହି କାରଣ ଲାଗି ନୀହାରିକାକୁ  ହତ୍ୟା କରିବା ପାଇଁ ରାସ୍ତା ଖୋଜୁଥିଲା ରାଜା । କଟକରେ ରହୁଥିବା ସାଙ୍ଗ ସୁନିଲ ସାହୁ ସେପ୍ଟେମ୍ବର ୮ ତାରିଖରେ ଗାଁକୁ ଯାଉଥିବା ବେଳେ ରାଜା ତା’ ଠାରୁ ରାତିକ ଲାଗି ଚାବି ମାଗିଥିଲା। ଘଟଣା ଦିନ ନୀହାରିକାକୁ ସୁନିଲଙ୍କର ଭଡ଼ା ଘରକୁ ନେଇ ଯାଇଥିଲା ଏବଂ ହତ୍ୟା କରିବା ପରେ ଏକ ପ୍ଲାଷ୍ଟିକ ଅଖାରେ ବାନ୍ଧି ନାଲି-କଳା ରଙ୍ଗର ହୋଣ୍ଡା ସାଇନ ବାଇକରେ ଜଗତସିଂହପୁର ଜିଲ୍ଲାର ବିରିଡି ଥାନା ଅଞ୍ଚଳର ବିଲୁଆଖାଇ ନଦୀ ପଠାରେ ଫିଙ୍ଗି ଚାଲି ଯାଇଥିଲା।

ସୂଚନାଯୋଗ୍ୟ, ପ୍ରାୟ ଏକ ସପ୍ତାହ ଯାଏଁ ନିଖୋଜ ରହିବା ପରେ ସେପ୍ଟେମ୍ବର ୧୭ ଅପରାହ୍ଣରେ ଜଗତସିଂହପୁର ଜିଲ୍ଲାର ବିଲୁଆଖାଇ ନୂଆପାରି  ନଦୀକୂଳରୁ ନର୍ସ ନିହାରୀକାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ନଦୀକୂଳରୁ ଜଣେ ଯୁବତୀଙ୍କର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ଘଟଣା ଦିନ ନଦୀକୂଳରେ ଜଣେ ଯୁବତୀଙ୍କର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପରିବାର ଲୋକେ ଆସି ନିହାରୀକାଙ୍କ ମୃତଦେହ ଚିହ୍ନି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ନିହାରୀକା କଟକର ଏକ ନର୍ସିଂହୋମ୍‌ରେ କାମ କରୁଥିଲେ ଏବଂ ସେ ନିଖୋଜ ହେବା ପରେ ପରିବାର ଲୋକେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ଏସ୍‌ପି କହିଛନ୍ତି, ଝିଅ ନିଖୋଜ ହେବା ନେଇ ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ଗଗନ ପାତ୍ରଙ୍କ ସ୍ତ୍ରୀ ପ୍ରତିମା ପାତ୍ର ବିରିଡି ଥାନାରେ ଅଭିଯୋଗ କରିଥିଲେ। ମହିଳା ଜଣକ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ଝିଅ ଏମ୍‌ଏମ୍‌ ମେଡିକେୟାରରେ ନର୍ସ ଭାବେ କାର୍ଯ୍ୟରତ ଥିଲା। ଗିରଫ କରିବା ପାଇଁ ଯୋଜନା ଚାଲିଥିବା ବେଳେ ରାଜା ଶୁକ୍ରବାର ଅପରାହ୍ଣରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ପୁଲିସ ରାଜାକୁ ବହୁ ସମୟ ଧରି ପଚରାଉଚରା କରିଛି। ପୁଲିସ ଅଭିଯୁକ୍ତ ରାଜା, ନୀହାରିକା ଓ ତା’ର ସାଙ୍ଗର ମୋବାଇଲ କଲ୍‌ ରେକର୍ଡ ଜବତ କରିଛି। ସିସିଟିଭି ଓ ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ଜଣାପଡ଼ିଛି ଯେ, ହତ୍ୟାକାଣ୍ଡରେ କେବଳ ରାଜାର ସଂପୃକ୍ତି ରହିଛି। ତଥାପି ପୁଲିସ ଘଟଣାର ଆହୁରି ତଦନ୍ତ କରୁଛି। ଦରକାର ପଡ଼ିଲେ ପୁଲିସ ରାଜାକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ।

ସମ୍ବନ୍ଧିତ ଖବର