ଓଡ଼ିଶା ସୀମା ସିଲ୍, ଆନ୍ଧ୍ରପ୍ରଦେଶର ମୁକୁଳା: ଗଳା ରାସ୍ତାରେ ପଶି ଆସୁଛନ୍ତି ବାହାର ରାଜ୍ୟ ଶ୍ରମିକ, ବିପଦ ମୁଣ୍ଡାଉଛି ରାୟଗଡ଼ା ଜିଲ୍ଲା ପ୍ରଶାସନ  

ରାୟଗଡ଼ା: ଓଡ଼ିଶା ସୀମା ସିଲ୍। ହେଲେ ମୁକୁଳା ପଡ଼ିଛି ଆନ୍ଧ୍ରପ୍ରଦେଶ ସୀମା। ଦୁଇଟି ଏସପିଓ ଯବାନଙ୍କୁ ମୁତୟନ କରି କାମ ସାରି ଦେଇଛନ୍ତି ଆନ୍ଧ୍ର ସରକାର। ଫଳରେ ଦୈନିକ ଗଳା ରାସ୍ତା ଦେଇ ଓଡ଼ିଶାର ଗାଁ ଗଣ୍ଡାକୁ ପଶି ଆସୁଛନ୍ତି ବାହାର ରାଜ୍ୟ ଶ୍ରମିକ। ଖବର ପାଇ ପ୍ରଶାସନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଖାଇବା, ପିଇବା, ରହିବାର ବନ୍ଦୋବସ୍ତ କରୁଛି। କେବଳ ଏତିକି ନୁହେଁ, ୧୪ ଦିନ ପର୍ଯ୍ୟନ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପ‌‌ରେ ନଜର ରଖି ବିପଦ ମୁଣ୍ଡାଉଛି ପ୍ରଶାସନ।

ରାୟଗଡ଼ା ବ୍ଲକର କେରେଡ଼ାକୁ ଲାଗିଛି ଆନ୍ଧ୍ର ସୀମା। ଦୈନିକ ଏହି ରାସ୍ତା ଦେଇ ବିଶାଖାପାଟଣାରୁ ରାୟପୁର ସମେତ ଛତିଶଗଡ଼, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡିକୁ ଶହ ଶହ ସଂଖ୍ୟାରେ ମାଲବାହୀ ଯାନବାହନ ଚଳାଚଳ କରୁଛି। ବର୍ତ୍ତମାନ ବସ୍, ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରେ ଫସିଥିବା ଶ୍ରମିକଙ୍କୁ ଆନ୍ଧ୍ର ସରକାର ଘଉଡାଇବା ସହ ମାଲବାହୀ ଟ୍ରକରେ ଆଣି ଓଡ଼ିଶା ସୀମାରେ ଛାଡ଼ି ଦେଉଛି। ଓଡ଼ିଶା ସୀମାରେ ସିଆରପିଏଫ୍ ଯବାନଙ୍କ ସମେତ ରାଜ୍ୟ ପୁଲିସର ୨ଟି ଟିମ୍ ନାକାବନ୍ଦୀ ଲଗାଇ ଥିବାରୁ ଶ୍ରମିକମାନେ ସୀମା ରାସ୍ତା ବଦଳରେ ଆନ୍ଧ୍ରର ଜଙ୍ଗଲ, ପାହାଡ଼, ପର୍ବତ ଦେଇ ପ୍ରତିଦିନ ଆନ୍ଧ୍ରରୁ ୩୦ରୁ ୪୦ ଶ୍ରମିକ ଓଡ଼ିଶାରେ ପହଞ୍ଚୁଛନ୍ତି। ଏହି ସମସ୍ତ ଶ୍ରମିକଙ୍କୁ ଆନ୍ଧ୍ର ପୁଲିସ୍, ପ୍ରଶାସନ ଗଳାରାସ୍ତା ଦେଖାଇବାର ସହଯୋଗ କରୁଛି। ଯେଉଁଥି ପାଇଁ ତାଲାବନ୍ଦ ପରଠୁ ଆଜି ସୁଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହାର ରାଜ୍ୟର ୬୮୨ ଶ୍ରମିକଙ୍କୁ କଡ଼ା ସୁରକ୍ଷାରେ ରଖା ଯାଇଛି।

ସୀମାନ୍ତ କେରେଡାରେ ପଞ୍ଜାବର ୨୦, ରାଜସ୍ଥାନର ୪୦, ତାମିଲନାଡୁର ୫, ଆନ୍ଧ୍ରର ଜଣେ, ଜେମାଦେଇପେଣ୍ଠରେ ଝାଡ଼ଖଣ୍ଡର ୨୦, କୁମ୍ଭିକୋଟାରେ ବିହାରର ୮, କତାପେଟାରେ ଭୋପାଳର ୨୪, ଦେବଦୋଳାରେ ରାଜସ୍ଥାନର ୨୧ ଶ୍ରମିକଙ୍କୁ ରଖାଯାଇଛି। ସେହିପରି ଗୁଣପୁର ବ୍ଲକକୁ ଆନ୍ଧ୍ର ସୀମାନ୍ତ ଲାଗି ଥିବାରୁ ଜଗନ୍ନାଥପୁର, ଗଜପତି ଜିଲ୍ଲାର କାଶୀପୁର ଦେଇ ବହୁ ଶ୍ରମିକ ଓଡ଼ିଶା ଭିତରେ ପଶିଛନ୍ତି। ଏପରି ଭାବେ ରାୟଗଡ଼ା ଜିଲ୍ଲାର ୧୧ ବ୍ଲକରେ ବାହାର ରାଜ୍ୟର ୬୮୨ ଏବଂ ବାହାର ଜିଲ୍ଲାର ୭୮୩ ମୋଟ ୧୪୬୫ ଦାଦନ ଶ୍ରମିକ ଅଛନ୍ତି। ଦିନକୁ ଦିନ ଏହି ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲା ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି। ବାହାର ରାଜ୍ୟରେ କରୋନାର ପ୍ରଭାବ ଅଧିକ ଥିବାରୁ ରାୟଗଡ଼ାର ବିଭିନ୍ନ କେନ୍ଦ୍ରରେ ଥଇଥାନ କରାଯାଇଥିବା ଶ୍ରମିକଙ୍କ ମଧ୍ୟରେ କିଏ ଯଦି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥାନ୍ତି ତାହା ହେଲେ ସ୍ଥିତି ଅସମ୍ଭାଳ ହେବ। ୩୪ଟି ରାପିଡ୍ ରେସପନସ୍ ଟିମ୍ ଯଦିଓ  ଶ୍ରମିକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି କେତେବେଳେ କ’ଣ ହେବ ତାହା ସମସ୍ତଙ୍କ କଳ୍ପନା ବାହାରେ।

ଅନ୍ୟପକ୍ଷରେ ରାତି ହେବା କ୍ଷଣି ଶ୍ରମିକମାନେ ନିଜ ଗାଁ ଅଭିମୁଖେ ଖସି ଯିବାକୁ ଉଦ୍ୟମ କରିବା ସହ ହଟ୍ଟଗୋଳ କରୁଥିବାରୁ ପୁଲିସ୍, ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି ହୋଇଛି। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସପି ଡା. ଶର୍ବଣା ବିବେକ ଏମ୍ ଆନ୍ଧ୍ର ସୀମାନ୍ତ କେରେଡା କେନ୍ଦ୍ର ପରିଦର୍ଶନରେ ଯାଇ ବାହାର ରାଜ୍ୟ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ୧୪ ଦିନ ପର୍ଯ୍ୟନ୍ତ କ୍ବାରାଣ୍ଟାଇନରେ ରହିବାକୁ ସମସ୍ତ ଶ୍ରମିକଙ୍କୁ ବୁଝାଶୁଝା କରିଛନ୍ତି ଜିଲ୍ଲାପାଳ ଓ ଏସପି। ସେପଟେ ବିଡ଼ିଓ ରାଜେନ୍ଦ୍ର ମାଝି, ଏବିଡ଼ିଓ ନୃସିଂହ ଚରଣ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଦୈତାରୀ ଟୁଡୁ କ‌େରେଡ଼ା ସମେତ ଜେମାଦେଇପେଣ୍ଠ, କୁମ୍ଭିକୋଟା, ଦେବଦୋଳା, କତାପେଟା ଭଳି ସ୍ପର୍ଶକାତର କେନ୍ଦ୍ର ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି।

ଆନ୍ଧ୍ର ସୀମା ମୁକୁଳା ପଡ଼ିଥିବାରୁ ଶେଷଖାଲ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ନେତୃତ୍ବରେ ୨ ଟିମ୍ ସ୍ବତନ୍ତ୍ର ନଜର ରଖିଛି। ଲକଡାଉନ୍ ଘୋଷଣା ହେବା ଦିନଠୁ ରାୟଗଡ଼ା ପୁଲିସ୍ ଆନ୍ଧ୍ର-ଓଡ଼ିଶା ବୋର୍ଡର ସମେତ ଜିଲ୍ଲା ସୀମାନ୍ତକୁ ସିଲ୍ କରିଛି। ବିଭିନ୍ନ ସୀମାରେ ୧୨ଟି ଟିମ୍ ସହ ୯ ପ୍ଲାଟୁନ୍ ପୁଲିସ୍ ମୁତୟନ ହୋଇଛନ୍ତି। ଆନ୍ତଃ ରାଜ୍ୟ ସମେତ ଆନ୍ତଃ ଜିଲ୍ଲା ସୀମା ସିଲ୍ କରିବାକୁ ସୁପ୍ରି‌ମକୋର୍ଟ ନିର୍ଦେଶ ଦେବା ପରେ ସୁରକ୍ଷାକୁ ଅଧିକ କଡ଼ାକଡି କରାଯାଇଛି।

ସମ୍ବନ୍ଧିତ ଖବର