ଭତ୍ତା ଆଣିବାକୁ ଯାଇଥିଲେ ୮୦ ବର୍ଷିଅ ବୃଦ୍ଧ, ଫିଙ୍ଗର ପ୍ରିଣ୍ଟ ଦେଉଥିଲା ବେଳେ ଟଳି ପଡ଼ିଲେ

ରାଉରକେଲା: ଭତ୍ତା ଟଙ୍କା ପାଇଁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ରାଉରକେଲାର ଓରାମ ପଡାସ୍ଥିତ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବୃଦ୍ଧ ଜଣକ ହେଲେ ବାସନ୍ତି କଲୋନି ରେଳଫାଟକ ନିକଟ ବସ୍ତିର ଦିଲୀପ ଦେ (୮୦)। ସେ ସୋମବାର ଅପରାହ୍ନ ପ୍ରାୟ ସାଢେ ୧୨ଟାରେ ଭତ୍ତା ଟଙ୍କା ପାଇଁ ବାୟୋମେଟ୍ରିକ ମେସିନ୍‌ରେ ଫିଙ୍ଗର ପ୍ରିଣ୍ଟ ଦେଉଥିଲା ବେଳେ ସେ ହଠାତ୍‌ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ।

ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ଆଜିଏଚରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହାକୁ ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀ ଅସ୍ୱୀକାର କରିଛନ୍ତି। ପରିବାର ଲୋକ କିନ୍ତୁ କହିଛନ୍ତି, ପ୍ରତିମାସ ଭଳି ଗତକାଲି ଓରାମପଡାସ୍ଥିତ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଆର୍‌ଏମ୍‌ସି ପକ୍ଷରୁ ଭତ୍ତା ବଣ୍ଟନ କରାଯାଉଥିଲା। ବୃଦ୍ଧ ଦିଲୀପ ଚାଲି ପାରୁ ନଥିବାରୁ ତାଙ୍କୁ ଟେକି ଟେକି ଭତ୍ତା ବଣ୍ଟନ କେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ଭତ୍ତା ଟଙ୍କା ପାଇଁ ଫିଙ୍ଗର ପ୍ରିଣ୍ଟ ଦେବାକୁ ହିତାଧିକାରୀମାନେ ଲମ୍ବା ଲାଇନ ଲଗାଇଥିବାରୁ ଦିଲୀପଙ୍କୁ ପ୍ରାୟ ଅଧଘଣ୍ଟା ଧରି ଖରାରେ ବସିବାକୁ ପଡିଥିଲେ।

ଭତ୍ତାବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀ ନାମ ଡାକିବାରୁ ଦିଲୀପ ଭତ୍ତା ଟଙ୍କା ପାଇବାକୁ ବାୟୋମେଟ୍ରିକ ମେସିନରେ ଫିଙ୍ଗର ପ୍ରିଣ୍ଟ ଦେଇଥିଲେ। ସେ ୨-୩ ଥର ମେସିନ୍‌ରେ ଅଙ୍ଗୁଳି ରଖିଥିଲେ କିନ୍ତୁ ମେସିନରେ ଫିଙ୍ଗର ମ୍ୟାଚ୍‌ କରି ନଥିଲା। ଦାୟିତ୍ୱରେ ଥିବା କର୍ମଚାରୀ କର୍କଷ ସ୍ୱରରେ ଦିଲୀପଙ୍କୁ ନେଇଯିବାକୁ ପରିବାର ଲୋକଙ୍କୁ କହିଥିଲେ। ଫଳରେ ବାଧ୍ୟହୋଇ ପରିବାର ଲୋକ ତାଙ୍କୁ ଟେକି ଟେକି ନେଉଥିଲାବେଳେ ଦିଲୀପ ଚେତାଶୂନ୍ୟ ହୋଇ ପଡିଯାଇଥିଲେ। ଫିଙ୍ଗର ପ୍ରିଣ୍ଟ୍‌ ମେଳ ନଖାଇବା ଓ ସେଥିପାଇଁ ଭତ୍ତା ନମିଳିବା ଘଟଣାରେ ସେ ମାନସିକ ଧକ୍କା ପାଇଥିଲେ କି? ଏହାର ଉତ୍ତର କେହି ଜାଣିବା ସମ୍ଭବ ନୁହେଁ। କିନ୍ତୁ ଟଙ୍କା କେଇଟାର ଭତ୍ତା ପାଇଁ ଜଣେ ୮୦ ବର୍ଷର ବୃଦ୍ଧଙ୍କୁ ଖରାରେ ଧାଡ଼ିରେ ଅପେକ୍ଷା କରିବାକୁ ବାଧ୍ୟ କରାଯିବା ନିଶ୍ଚିତ ରୂପେ ଏକ ଅମାନବୀୟ କଥା। ଏ ଭଳି ନିୟମ କରିଥିବା ପ୍ରଶାସନ ଭତ୍ତା ଦେଉଛି ନା ଭିକ ଦେଉଛି ବୋଲି ଭାବୁଛି ଚର୍ଚ୍ଚାହେବା ସ୍ୱଭାବିକ।

ଉଲ୍ଲେଖନୀୟ ଯେ ପୂର୍ବରୁ ଯେଉଁ ବୃଦ୍ଧ ବୃଦ୍ଧା ଭତ୍ତା ବଣ୍ଟନ କେନ୍ଦ୍ରକୁ ଆସି ପାରୁ ନଥିଲେ। ଆର୍‌ଏମ୍‌ସିର ବିଭାଗୀୟ କର୍ମଚାରୀ ସେମାନଙ୍କ ଘରକୁ ଯାଇ ଭତ୍ତା ଦେଉଥିଲେ। ଅଥବା ତାଙ୍କର ସମ୍ପର୍କୀୟମାନେ ସେମାନଙ୍କ ପାଇଁ ଆର୍‌ଏମ୍‌ସିର ଭତ୍ତା ବିଭାଗକୁ ଆସି ଭତ୍ତାଟଙ୍କା ନେଉଥିଲେ। ଏବେ ଏଭଳି ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଉଥିବାରୁ ହଜାର ହଜାର ବୃଦ୍ଧବୃଦ୍ଧା ଭତ୍ତା ଟଙ୍କା ପାଇବାରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଭତ୍ତା ବଣ୍ଟନରେ ଆର୍‌ଏମ୍‌ସିର ଏଭଳି ବ୍ୟବସ୍ଥାକୁ ନେଇ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର