ନବରଙ୍ଗପୁର: ଘର କାନ୍ଥ ପଡି ବୃଦ୍ଧଙ୍କର ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଜବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦରଗୁଲା ଗ୍ରାମରେ ଶୁକ୍ରବାର ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ହେଲେ ହନୁ ଗୌଡ଼ (୭୫)। ଦକ୍ଷିଣ ଓଡ଼ିଶା ସମେତ ନବରଙ୍ଗପୁର ଜିଲ୍ଲାରେ ଗତ କିଛିଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଦରଗୁଲା ଗ୍ରାମର ବୃଦ୍ଧ ହନୁଙ୍କ ମୃତ୍ୟୁ ହୋଇଛି। ତେବେ ମୃତକ ହନୁ ସହ ସାଥିରେ ବସିଥିବା ତାଙ୍କ ପୁଅ ଆଇତୁ ଗୌଡ ଓ ଅନ୍ୟ ଜଣେ ସମ୍ପର୍କୀୟ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ଲଘୁଚାପ ପ୍ରଭାବରେ ଡାବୁଗାଁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଆଜି ଦିନ ସାଢ଼େ ୧୨ ଘଣ୍ଟା ସମୟରେ ଦରଗୁଲା ଗ୍ରାମର ହନୁ ଗୌଡ ଖାଇ ସାରିବା ପରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ମଧ୍ୟରେ ନିଆଁ ଲଗାଇ ବସିଥିଲେ। ସାଥିରେ ତା ପୁଅ ଆଇତୁ ଓ ଜଣେ ସମ୍ପର୍କୀୟ ମଧ୍ୟ ବସିଥିଲେ। ଏହି ସମୟରେ ଦୁର୍ବଳ ହୋଇଯାଇଥିବା କାନ୍ଥ ହଠାତ ଭୁଶୁଡ଼ି ପଡ଼ିବାରୁ ହନୁ ଗୌଡ ଉପରେ ପଡିଥିଲା। ଏଥିରେ ହନୁ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ପରିବାର ଲୋକେ ୧୦୮ ଆମ୍ବୁଲାନସ୍‌କୁ ଫୋନ୍‌ କରିଥିଲେ। କିନ୍ତୁ ଅଳ୍ପ ସମୟ ମଧ୍ୟରେ ହନୁ ଗୌଡଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଡାବୁଗାଁ ଅତିରିକ୍ତ ତହସିଲଦାର ସୁବାଷ ପୂଜାରୀ, ରେଭେନ୍ୟୁ ସୁପର ଭାଇଜର ମଙ୍ଗଳୁ ବେଶରା, ତଥା ଅନ୍ୟ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ମୃତ ହନୁ ଗୌଡ ଏକ ଗରିବ ପରିବାରର ହୋଇଥିବାରୁ ସରକାରଙ୍କ ତରଫରୁ ଉକ୍ତ ପରିବାରକୁ ଆର୍ଥିକ ସହାୟତା ସହ ଆବାସ ଯୋଜନାରେ ଘର ଟିଏ ଯୋଗାଇ ଦେବା ପାଇଁ ଦରଗୁଲା ଗ୍ରାମର ଓ୍ଵାର୍ଡ ମେମ୍ବର ଶିଙ୍ଗ ମାଝୀ, ମହାଦେବ ମାଝୀ ତଥା ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର