ମଦ ବିରୋଧରେ ଗୋଟିଏ ସ୍ୱର:୪ଟି ଗାଁର ମହିଳା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଘିଚାମୁରା, ମହମ୍ମଦପୁର, ଧନକଉଡ଼ା, ଖିଣ୍ଡାରେ ମଦ ଦୋକାନ ବିକ୍ରି ବିରୋଧରେ ଭିନ୍ନ ଭାବରେ ମହିଳାମାନେ ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଧନକଉଡ଼ା ବ୍ଲକ କନଖିଣ୍ଡା ଗ୍ରାମପଞ୍ଚାୟତ ଅଧିନସ୍ଥ ସମସ୍ତ ଗାଁରୁ ମଦଭାଟି ଉଚ୍ଛେଦ, ମଦ ବିକ୍ରି ଅନୁମତି ଦିଆନଯିବା ପାଇଁ ଗ୍ରାମବାସୀ କହିଛନ୍ତି। ରାଜ୍ୟ ସରକାରଙ୍କ ପ୍ରକାଶିତ ବିଜ୍ଞପ୍ତି ନେଇ ଏହି ଆପତ୍ତି ଉଠାଯାଇଛି। ମଦ ଦୋକାନ ସମ୍ପର୍କୀତ ଏହି ବିଜ୍ଞପ୍ତି ପୌର ପରିଷଦ, ଗ୍ରାମପଞ୍ଚାୟତ, ଓ୍ଵାର୍ଡ କିମ୍ବା ପୌର ପରିଷଦ କାର୍ଯ୍ୟାଳୟର କୌଣସି ପ୍ରତିନିଧି ମାଧ୍ୟମରେ କରାଯାଇ ଥିଲା। ଗୁପ୍ତ ଭାବରେ ଏହି ବିଜ୍ଞପ୍ତି ପ୍ରକାସ ନେଇ ସନ୍ଦେହ ସୃଷ୍ଟି ହେଉଛି।

ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଘିଚାମୁରା ଅଧିବାସୀ କହିଛନ୍ତି, ଏହି ଗାଁରେ ମଦଭାଟି ଥିବାରୁ ଲୋକମାନେ ମାତଲ ହୋଇ ବୁଲୁଛନ୍ତି। ଏଥିଯୋଗୁଁ ମହିଳା ଅସୁରକ୍ଷା ବୃଦ୍ଧି ପାଉଛି। ଏଥିସହିତ ଘରୋଇ ବିବାଦ ମଧ୍ୟ ବଢୁଛି। ସମ୍ବଲପୁର ନିଶା ନିବାରଣ ଅଭିଯାନ ଆବାହକ ବିରେନ୍ଦ୍ର ପାଣିଗ୍ରାହୀ, କଳ୍ପନା ପଟେଲ, ରଜନୀ ପଟେଲ, ଶାନ୍ତି ପରୁଆ, ମହାବୀର ମହିଳା ସୁରକ୍ଷା ସଙ୍ଗଠନର ସୁରମା କିସାନ ଏବଂ ଭାଗ୍ୟବତୀ ଭୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସିଥିଲେ। ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାତୁଲୁକେମ୍ପରେ ଥିବା ମଦ ଦୋକାନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ରାସ୍ତା କଡ଼ରେ ରହିଛି।

ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ଯାତାୟାତ କରନ୍ତି। ଏଥିସହିତ ଖିଣ୍ଡା ଡାକ୍ତରଖାନା, ପଶୁ ଡାକ୍ତରଖାନା ଏବଂ ପଞ୍ଚାୟତକୁ ମହିଳାମାନେ ଯାତାୟତ କରୁଛନ୍ତି। ଏହି ମଦ ଦୋକାନକୁ ୨୦୧୮-୧୯ରେ ନବୀକରଣ ନକରିବା ପାଇଁ ଦାବି ହୋଇଛି। ଖିଣ୍ଡା ସରପଞ୍ଚ ନୀଳାବତୀ ଓରାମଙ୍କ ନେତୃତ୍ୱରେ ଏକ ଦଳ ଏହି ଦାବିପତ୍ର ଦେଇଥିଲେ। ମହମ୍ମଦପୁର ସ୍ଥିତ ମଦ ଦୋକାନ ବନ୍ଦ କରାନଯିବା ପର୍ଯ୍ୟନ୍ତ ମଦଭାଟି ପୋଡ଼ି ନଷ୍ଟ କରିଦିଆଯିବା ନେଇ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର