ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଜୁନାଗଡ଼: ୨୬ ନମ୍ବର ଜାତୀୟ ରାଜପଥର ମହିଚଳା ମଣ୍ଡି ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟାରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ନାକଟିଗୁଡ଼ାର ଭବାନୀ ଶଙ୍କର ନାଏକ। ଗୁରୁତର ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଳା ମଣ୍ଡି ନିକଟରେ ସ୍କୁଟି ଚାଳକ ନିଜର ନିୟନ୍ତ୍ରଣ ହରାଇଥିଲେ। ଜାତୀୟ ରାଜପଥର ମହିଚଳା ଠାରେ ବୁଲାଣିଆ ଥିବାର ସ୍କୁଟି ଚାଳକ ଭାରସମ୍ୟ ହରାଇ ରାସ୍ତା କଡ଼ରେ ଥିବା ଲୁହା ବାଡ଼ରେ ପିଟିହୋଇଥିଲେ। ଫଳରେ ସ୍କୁଟିଟି ଖଣ୍ଡବିଖଣ୍ଡ ହୋଇଯାଇଥିଲ। ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଜୁନାଗଡ଼ ପୁଲିସକୁ ସୂଚନା ଦେଇଥିଲେ। ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଗୁରୁତର ବ୍ୟକ୍ତିଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ମୃତଦେହ ଶୁକ୍ରବାର ପୋଷ୍ଟମର୍ଟମ ହେବ ବୋଲି ପୁଲିସ କହିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର