ବୋଡ଼ାନଦୀର ଅସ୍ଥାୟୀ ପୋଲରେ ବସ୍‌ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହର ନିକଟ ଚିଆପଲ୍ଲୀ ବୋଡ଼ାନଦୀ ଡାଇଭର୍ସନରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଡାଇଭର୍ସନ ପାର ହେଉଥିବା ସମୟରେ ଆଗକୁ ଉଠି ନପାରି ଭାରସାମ୍ୟ ହରାଇ ପଛକୁ ଖସି ପଡ଼ିଥିଲା। ବସକୁ ପଛରୁ ଠେଲିବାକୁ କିଛି ଯାତ୍ରୀ ଓହ୍ଲାଇଥିଲେ। ତଥାପି ସେମାନେ ଏହାକୁ ରୋକି ପାରି ନଥିଲେ। ବସ ପଛକୁ ଗଡ଼ି ଆସିବାରୁ ପଛରେ ଆସୁଥିବା ତିନିଜଣ ବାଇକ୍‌ ଆରୋହୀ ପ୍ରାଣବିକଳରେ ସେଠାରୁ ଦେଡ଼ିଥିଲେ। ତିନିଟି ବାଇକ୍‌ ସହ ବସ୍‌ ଯାତ୍ରୀ ଭଞ୍ଜନଗର ନିକଟ କୁରୁଳାଇ ଗ୍ରାମର ହରି ସ୍ୱାଇଁ ଓରଫ୍‌ ନାଲୁ ଚକା ତଳେ ଚାପି ହୋଇଯାଇଥିଲେ।

ପୁଲିସ ଓ ଦମକଳବାହିନୀ ସହାୟତାରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ବୋଡ଼ାନଦୀରେ ନୂଆ ସେତୁ ତିଆରି ଚାଲିଥିବା ବେଳେ ଡାଇଭର୍ସନ ଉପରେ ଭାରୀଯାନ ଯିବା ଆସିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ଗତ ଲଗାଣ ବର୍ଷାରେ ଡାଇଭର୍ସନଟି ଭାସିଯାଇଥିଲା। ବାଇକ ଓ ସାଇକେଲ ଆରୋହୀଙ୍କ ପାଇଁ ମାଟି ପକାଇ ମରାମତି କରାଯାଇଥିଲା କିନ୍ତୁ ଭାରିଯାନ ଚଳାଚଳ ପାଇଁ ଏହା ଜମାରୁ ସୁରକ୍ଷିତ ନଥିଲା।  ତଥାପି ଆଜି ଅପରାହ୍ନ ୩ଟାରେ ପ୍ରାୟ ୩୫ଜଣ ଯାତ୍ରୀଙ୍କୁ ନେଇ ଘରୋଇ ବସ୍‌ (ମା’ତାରିଣୀ, ଓଆର୍‌ ୦୭-ଆର୍‌ ୮୧୯୨) ଭଞ୍ଜନଗରରୁ ବୁଗୁଡା ଯାଉଥିଲା। ହେଲେ ଡାଇଭର୍ସନ ପାର ହେଉଥିବା ଏହା ଭାରସାମ୍ୟ ହରାଇ ଉଠାଣିଆ ଅତିକ୍ରମ କରି ନପାରି ପଛକୁ ଖସି ପଡ଼ିଥିଲା। ଏହି ସମୟରେ ନାଲୁଙ୍କ ସମେତ କିଛି ଯାତ୍ରୀ ବସକୁ ଠେଲିବାକୁ ଓହ୍ଲାଇଥିଲେ କିନ୍ତୁ ବସ ଉପରକୁ ଉଠିବା ବଦଳରେ ଏହା ସଂପୂର୍ଣ୍ଣ ରାସ୍ତା ଉପରକୁ ମାଡ଼ି ଆସି ପଛକୁ ଚାଲିଆସିଥିଲା। ଫଳରେ ବସ ଯାତ୍ରୀ ଓ ପଛରୁ ଆସୁଥିବା ଗିରିସୋଲାର ନାରାୟଣ ସ୍ୱାଇଁ, ବୋରିପଦରର ବତ୍ସ ଗୌଡ଼ ଏବଂ ବୁଗୁଡା ବ୍ଲକ ଆଦିପୁରର ସୁବ୍ରତ ଜେନା ନିଜର ବାଇକ୍‌ ଓ ମୋପେଡ୍‌ ରଖି ଦୌଡ଼ି ପଳାଇଥିଲେ କିନ୍ତୁ ହରି ଚକା ତଳେ ଚାପି ହୋଇ ରହିଯାଇଥିଲେ।

ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ, ଭଞ୍ଜନଗର ଥାନା ଏସଆଇ ନିରଞ୍ଜନ ଦାସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ହରିଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଦମକଳବାହିନୀ ସହାୟତାରେ ୩ଟି ଗାଡ଼ିକୁ ବସ୍‌ ଚକା ତଳୁ ଉଦ୍ଧାର କରାଯାଇଛି। ବସ୍‌ଟି ଡାଇଭର୍ସନ ଉପରେ ଫସି ରହିଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଡ୍ରାଇଭରକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟପକ୍ଷରେ ମୃତକ ହରି ତାଙ୍କ ଝିଅକୁ ଦଶହରା ଯୋଗାଡ଼ ଦେବାକୁ ବାଲିପଦର ନିକଟକୁ ଯାଉଥିଲେ କିନ୍ତୁ ଏହି ଦୁର୍ଘଟଣା ତାଙ୍କର ଜୀବନ ନେଇ ଯାଇଛି। କୁରୁଳାଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର