ସମ୍ବଲପୁର: ୨ ବାଇକ୍‌ ମୁହାଁମୁହିଁ, ଜଣେ ମୃତ, ୩ ଗୁରୁତର

ଯୁୁଯୁମୁରା: ଦୁଇ ବାଇକ୍‌ ମୁହାଁମୁହିଁ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। କଲ୍ୟାଣ ମଣ୍ଡପ ନିକଟରେ ଘଟିଥିବା ଦୁର୍ଘଟଣାର ଗୋଟିଏ ବାଇକରେ ୩ ଜଣ ବସିଥିବା ବେଳେ ଅନ୍ୟ ବାଇକ୍‌ରେ ଜଣେ ବସିଥିଲେ।

ରିପୋର୍ଟ ଅନୁସାରେ ଯୁଯୁମୁରାର ନୟନ ସିଂହ, ଋଷଭ ମାଝୀ ଓ ବସନ୍ତ ସାହୁ ଯୁଯୁମୁରା ଥାନା ଛକ ଠାରୁ ଘର ଅଭିମୁଖେ ବାଇକ୍‌ (ଓଆର ୧୫ଏଲ୍‌ ୮୩୫୪) ଯାଉଥିଲେ। ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍‌ (ଓଆର ୧୫କେ ୭୭୩୪)ରେ ଲଇକେରା ବାହାଲର ନିର୍ମଳ ମିର୍ଦ୍ଧା ଘରକୁ ଫେରୁଥିଲେ। କଲ୍ୟାଣ ମଣ୍ଡପ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ୪ ଜଣ ଆହତକୁ ପ୍ରଥମେ ଯୁଯୁମୁରା ହସ୍‌ପିଟାଲରେ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିଲା। ପରେ ସମସ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ପହଂଚିବା ପରେ ନିର୍ମଳଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇ ଘଟଣାର ତଦନ୍ତ କରୁଛି। ଅନ୍ୟ ୩ ଜଣଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର