କଳିଙ୍ଗା ଘାଟିରେ ଅଟୋ-ବୋଲେରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି କଳିଙ୍ଗା ମୁଖ୍ୟ ସଡ଼କର ଦୁଗୁଡ଼ି ନିକଟରେ ଆଜି ଅପରାହ୍ନରେ ଏକ ଅଟୋ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଆଡାସକୁପା ଗ୍ରାମର କିଶୋର ପ୍ରଧାନ (୫୦)। ଆହତ ଅଟୋ ଚାଳକ ପଙ୍କଜ ପଟ୍ଟନାୟକ, ନନ୍ଦଗିରିର ମିଳିମା ମଲିକ ଓ କଳିଙ୍ଗାର ସାଗରିକା ମାଲିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘୁ. ଉଦୟଗିରି ଆଇଆଇସି ଧୀରେଜ ଲେଙ୍କା ଘଟଣା ସଂପର୍କରେ ସୂଚନା ଦେଇ କହିଛନ୍ତି, ଏକ ଧଳାରଙ୍ଗର ବୋଲେରୋ (ଓଡି ୧୨ସି-୨୬୨୬) କାଲିଙ୍ଗାରୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଯାତ୍ରୀ ନେଇ ଯାଉଥିବା ଏକ ଅଟୋ (ଓଡି ୦୭ଏଫ୍‌ ୧୭୯୮) ସହ ମୁହାଁମୁଁହି ଧକ୍କା ହୋଇଥିଲା। ତେବେ ବୋଲେରୋ ଦ୍ରୁତ ଗତିରେ ଯାଉଥିବାରୁ ଅଟୋକୁ ଶକ୍ତ ଧକ୍କା ଦେଇଥିଲା। ଏହା ପରେ ବୋଲେରୋଟି ଏକ ଇଟା ଗଦା ଉପରେ ମାଡିଯାଇଥିଲା। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ କିଶୋର ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋ ଚାଳକ ପଙ୍କଜ ପଟ୍ଟନାୟକ, ନନ୍ଦଗିରିର ମିଳିମା ମଲିକଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ଆଉ ଜଣେ ଆହତ କଳିଙ୍ଗାର ସାଗରିକା ମାଲିକଙ୍କୁ ଫୁଲବାଣୀକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

 

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏଇ ନିକଟରେ ସଡକ ସୁରକ୍ଷା ସପ୍ତାହ ସରିଲା। ସୁରକ୍ଷିତ ଗାଡ଼ି ଚାଳନା ଉପରେ ସରକାର ସମସ୍ତଙ୍କୁ ସଚେତନ କଲେ। ହେଲେ, ତଥାପି ସୁଧୁରିଲେନି ଗାଡି ଚାଳକ। ଗାଡ଼ି ଚାଳନା ସମୟରେ ନିରୀହ ଯାତ୍ରୀଙ୍କ ଜୀବନକୁ ନେଇ ଖେଳୁଛନ୍ତି ମୃତ୍ୟୁର ଖେଳ। ବେପାରୁଆ ଗାଡ଼ି ଚାଳନା ସାଙ୍ଗକୁ ଦ୍ରୁତ ଗତିରେ ଗାଡି ଚଳାଇବା ଯୋଗୁଁ ଆଜିର ଏହି ଦୁର୍ଘଟଣାରେ ଜଣେ ନିରୀହ ଲୋକର ଅକାଳରେ ପ୍ରାଣ ଚାଲିଯିବା ସହ ଆଉ ତିନି ଜଣ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏବଂ ଅଯଥାରେ ଅର୍ଥ ବ୍ୟୟ କରି ଦୁର୍ଦଶାର ସମ୍ମୁଖିନ ହେଉଛନ୍ତି। ଦୁର୍ଘଟଣା ପରେ ଅଟୋଟିକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ। କାରଣ ଅଟୋଟି ମୋଡି ହୋଇ ଏକ ପିଣ୍ଡୁଳା ପାଲଟିଯାଇଛି।

ସମ୍ବନ୍ଧିତ ଖବର