ସଂଗରୋଧ କେନ୍ଦ୍ରରେ ସାପ କାମୁଡ଼ାରେ ଜଣେ ପ୍ରବାସୀ ଶ୍ରମିକ ଗୁରୁତର

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସଂଗରୋଧ କେନ୍ଦ୍ରରେ ସାପ କାମୁଡାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ଲଳିତ ସାହୁ (୧୮)। ସିନ୍ଧେକେଲା ସାହୁପଡାର ଲଳିତ ସାହୁ ଗତ ୦୯ ତାରିଖ ଦିନ ତେଲେଙ୍ଗାନା ରାଜ୍ୟ ସିକନ୍ଦରାବାଦରୁ ପହଞ୍ଚି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଥିଲେ । ଗୁରୁବାର ସଂଧ୍ୟାରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରର ଛାତ ଉପରକୁ ଯାଇ ଲଳିତ ବୁଲାବୁଲି କରୁଥିବା ସମୟରେ ସାପଟି କାମୁଡିବାରୁ ସେ ଜାଣିପାରି ଛାତ ଉପରୁ ତଳକୁ ଆସି ଅନ୍ୟ ମାନଙ୍କୁ କହିଥିଲେ । ଏହା ଜାଣି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଥିବା ଅନ୍ୟ ସାଥିମାନେ ସିନ୍ଧେକେଲା ସରପଞ୍ଚ ରାଜା ଥନାପତି ଙ୍କୁ ଜଣାଇଥିଲେ । ଖବରପାଇ ସରପଞ୍ଚ ଓ ସିନ୍ଧେକେଲା ଥାନାଧିକାରୀ ଅନନ୍ତ ପ୍ରଧାନ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଡାକ୍ତରଙ୍କୁ ଜଣାଇଥିଲେ ଏବଂ ଗୁରୁତର ଲଳିତ କୁ ସିନ୍ଧେକେଲା ସିଏଚସିକୁ ଚିକିତ୍ସା ପାଇଁ ଆଣିଥିଲେ । ଡ୍ୟୁଟିରେ ଥିବା ଡାକ୍ତର ରାମାକାନ୍ତ ସାହୁ ପ୍ରାଥମିକ ଚିକିତ୍ସା କରିବା ସହ ଏଏସଭି ଦେଇ ତାକୁ ଟିଟିଲାଗଡ ଡାକ୍ତର ଖାନାକୁ ରେଫର୍ କରିଛନ୍ତି ।

ସମ୍ବନ୍ଧିତ ଖବର