ହରଭଙ୍ଗା କ୍ୱାରେଣ୍ଟାଇନରେ ଚରମ ଅବ୍ୟବସ୍ଥା: ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଅନ୍ତବାସୀ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ପଞ୍ଚାୟତର ଆଞ୍ଚଳିକ ଯୁକ୍ତ୨ କନିଷ୍ଠ ମହାବିଦ୍ୟାଳୟରେ କରାଯାଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ଶିବିରରେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଶନିବାର ସକାଳେ ବିଭିନ୍ନ ରାଜ୍ୟରୁ ଫେରି ଉକ୍ତ କ୍ୱରେଣ୍ଟାଇନ ରେ ରହୁଥିବା ସମସ୍ତ ପ୍ରବାସୀ ଅନ୍ତବାସୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ।ଏ ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଉଦବେଗ ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ହରଭଙ୍ଗା ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ କ୍ୱାରେଣ୍ଟାଇନକୁ ଫେରିଯିବା ପାଇଁ ବୁଝାସୁଝା କରିବା ସହ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଆଶୁବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ସେମାନେ ପ୍ରତିବାଦ ପ୍ରତ୍ୟାହାର କରିଥିଲେ।

ପ୍ରବାସୀ ଅନ୍ତବାସୀଙ୍କ କହିବା କଥାହେଲା ବିଭିନ୍ନ ରୁମରେ ସେମାନେ ରହୁଥିବା ସମୁଦାୟ ୭୨ଜଣଙ୍କୁ ମାତ୍ର ଗୋଟିଏ ସାନିଟାଇଜର ବ୍ୟବହାର କରିବାକୁ ଦିଆଯାଇଛି। ସେହିପରି ସେମାନଙ୍କୁ କେବଳ ଗୋଟିଏ ବାଲ୍ଟି ମଗ, ଗାଧୋଇବା ଓ ସଫା କରିବାକୁ ଛୋଟ ୫ଟଙ୍କିଆ ସାବୁନ ସର୍ଫ ସହିତ ଗୋଟିଏ ବ୍ୟାଡସିଟ ଓ ତକିଆ ହିଁ ଦେଇଛନ୍ତି। ପାନୀୟ ଜଳ ର ବ୍ୟବସ୍ଥା ନଥିବାରୁ ଟ୍ୟାଙ୍କର ଯୋଗେ ଅଣାଯାଉଥିବା ନାଳ ପାଣି ତାଙ୍କୁ ପିଇବାକୁ ବାଧ୍ୟ କରାଯାଉଛି। ଖାଇବାକୁ ସକାଳେ ଜଳଖିଆ ବ୍ୟତୀତ ଦୁଇଓଲି ତକ କେବଳ ଭାତ ଓ ଡାଲି ଦେଉଛନ୍ତି।ଜଣେ ଅନ୍ତବାସୀ ଙ୍କର ଡାହାଣ ହାତ ଗଭୀର ଆଘାତ ହୋଇଥିବା ବେଳେ ବାରମ୍ବାର ଜଣାଇବା ପରେମଧ୍ୟ କୌଣସି ଚିକିତ୍ସା କିମ୍ବା ଔଷଧ ଦିଆଯାଉନାହିଁ।

ନିୟମିତ ତାଙ୍କର ସ୍ୱାସ୍ଥ୍ୟ ପରିକ୍ଷା କରାଯାଉନାହିଁ। ଏ ନେଇ ସେମାନେ ସରପଞ୍ଚ ଙ୍କୁ ଜଣାଇବା ସତ୍ତ୍ୱେ ସେ ଆଦୌ ଶୁଣୁନାହାନ୍ତି। ଫଳରେ ସେମାନେ ଚରମ ଅବ୍ୟବସ୍ଥା ମଧ୍ୟରେ ରହୁଛନ୍ତି।ଏ ସମ୍ପର୍କରେ ସରପଞ୍ଚ ସୁମଞ୍ଜିଲାଲଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ ନକରିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ ଯେ ସରକାର କରୋନାର ସଫଳ ମୁକାବିଲା ପାଇଁ ଦୂରଦୃଷ୍ଟିକୁ ଆଖିଆଗରେ ରଖି ପ୍ରତି ପଞ୍ଚାୟତ ସ୍ତରରେ ଅସ୍ଥାୟୀ କ୍ୱାରେଣ୍ଟାଇନ ଶିବିର ନିର୍ମାଣ କରିଥିଲେ।ଏଥିରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସଙ୍ଗରୋଧ ଭାବେ ରଖାଯିବାକୁ ସମସ୍ତ ଆନୁସଙ୍ଗିକ ସୁବିଧାପାଇଁ ଆବଶ୍ୟକ ଅନୁଦାନ ଯୋଗାଇ ଦେଉଥିବା ବେଳେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଏଠାରେ ରହୁଥିବା ଅନ୍ତବାସୀଙ୍କୁ କାହିଁକି ଦିଆଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।ଜିଲ୍ଲା ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର