ପଦ୍ମପୁରରେ ମୋବାଇଲ୍‌ ସେବା ବିପର୍ଯ୍ୟସ୍ତ

ପଦ୍ମପୁର: ପଦ୍ମପୁର ଉପଖଣ୍ଡରେ ଉଭୟ ସରକାରୀ ଓ ଘରୋଇ ମୋବାଇଲ୍‌ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି। ପ୍ରକାଶଥାଉ କି ଏଠାରେ ବିଏସ୍‌ଏନ୍‌ଏଲ୍‌ ସହ ଦୁଇଟି ଘରୋଇ ଟେଲିକମ୍‌ ସଂସ୍ଥା ଏହି ସେବା ଯୋଗାଇଥାନ୍ତି। ସେହିପରି ବିଏସ୍‌ଏନ୍‌ଏଲ୍‌ ଓ ଏକ ଘରୋଇ ସଂସ୍ଥାର ଇଣ୍ଟର୍‌ନେଟ୍‌ ସେବା ବି ଏକ ପ୍ରକାର ଠପ୍‌ ହୋଇ ଯାଇଥିବାରୁ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅନ୍‌ଲାଇନ୍‌ କାର୍ଯ୍ୟ ସବୁ ହୋଇପାରୁ ନାହିଁ। ଯଦ୍ୱାରା ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ୍‌ରେ ଲିଙ୍କ୍‌ ଫେଲ୍‌ ଜନିତ ସମସ୍ୟା ଦେଖା ଦେବା ସହ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡୁଥିବା ଅଭିଯୋଗ ହୋଇଛି। ଏପରିକି ଉପରୋକ୍ତ କାରଣରୁ ଅନେକ ସମୟରେ ଲୋକେ ସଂପୃକ୍ତ ଘରୋଇ ଟେଲିକମ୍‌ ସେବା ଡିଲର୍‌ଙ୍କ ପାଖରେ ପହଞ୍ଚି ଝଗଡ଼ାଝାଟି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷ ଓ ଅନ୍ୟ ଦୁଇ ସଂସ୍ଥାର କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର