ଘୁ. ଉଦୟଗିରି: ଗତ ୨୦ ତାରିଖରେ ବୋଲେରୋ ଧକ୍କାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଟୋ ଚାଳକ ପଙ୍କଜ ପଟ୍ଟନାୟକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରର ପଙ୍କଜଙ୍କୁ ଜୀବନ ବଞ୍ଚାଇବାକୁ ହେଲେ ତାଙ୍କୁ ୧୫ ଲକ୍ଷ ଟଙ୍କା ଦରକାର। କିନ୍ତୁ ପଙ୍କଜ ଜଣେ ନିହାତି ଗରିବ ଲୋକ ହୋଇଥିବାରୁ ତାଙ୍କୁ ଏତେ ପରିମାଣରେ ଟଙ୍କା ମିଳିବା ସହଜ ନୁହେଁ। ତେଣୁ ଏବେ ପଙ୍କଜ ଲୋକଙ୍କର ସାହାଯ୍ୟ ଆଶା କରୁଛନ୍ତି।

Advertisment

ପଙ୍କଜଙ୍କ ମୁଣ୍ଡ, ହାତ, ଗୋଡ଼ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା କାରଣରୁ ବ୍ରହ୍ମପୁରସ୍ଥିତ ମହାରାଜା କଷ୍ଣେଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରୁ ତାଙ୍କୁ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ପ୍ରଥମେ ମୁଣ୍ଡ ଅପରେସନ କରାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଅଣ୍ଟା, ହାତ, ଗୋଡ଼ର ମଧ୍ୟ ଅପରେସନର ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି। ଏଥି ପାଇଁ ଖର୍ଚ୍ଚ ଆନୁମାନିକ ଭାବେ ୧୫ ଲକ୍ଷ ଟଙ୍କା ହେବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

publive-image

ପଙ୍କଜଙ୍କ ଚିକିତ୍ସା ପାଇଁ ସ୍ତ୍ରୀ ଏବଂ ତାଙ୍କ ଭଉଣୀଙ୍କ ଅଳଙ୍କାର ବିକି ସାରିଛନ୍ତି। ଘୁ. ଉଦୟଗିରି ଅଟୋ ଆସୋସିଏସନ ତରଫରୁ ୧୫ ହଜାର ଟଙ୍କା ଏବଂ ପଦାସାହି ଲୋକଙ୍କ ଉଦ୍ୟମରେ କିଛି ବଦ୍ୟାନ ବ୍ୟକ୍ତିଙ୍କ ୩୫ ହଜାର ଟଙ୍କା ସହିତ ମୋଟ ୫ ଲକ୍ଷ ଟଙ୍କା ଯୋଗାଡ଼ କରି ଚିକିତ୍ସା ପାଇଁ ସହାୟତା ଦିଆଯାଇଛି। ଆଗକୁ ଆହୁରି ୧୦ ଲକ୍ଷ ଟଙ୍କାର ଦରକାର ଅଛି।

publive-image

ସୂଚନାଯୋଗ୍ୟ, ଜାନୁଆରି ୨୦ରେ କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ଥାନା ଅନ୍ତର୍ଗତ ଦୁଗୁଡ଼ି ନିକଟରେ ବୋଲେରୋ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ପରଦିନ (ଜାନୁଆରି ୨୧)ରେ ନନ୍ଦଗିରିର ନିଳିମା ନାୟକଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଥିଲା। ଆହତ ପଙ୍କଜଙ୍କୁ ବ୍ରହ୍ମପୁରରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା।