ପାରାଦୀପ: ମହାନଦୀରେ ଭାସୁଛି ମାଆ ଓ ତିନି ପିଲାଙ୍କ ମୃତଦେହ, ମାସକ ତଳେ ହୋଇଥିଲା ବାପାର ମୃତ୍ୟୁ

ମୃତ୍ୟୁର କାରଣ ଅସ୍ପଷ୍ଟ, ତଦନ୍ତ ଜାରୀ

ପାରଦୀପ: ପାରଦୀପ କୁଜଙ୍ଗସ୍ଥିତ ଜଗନ୍ନାଥପୁର ଶନିମନ୍ଦିର ନିକଟରେ ଥିବା ମହାନଦୀରେ ମା’ ଓ ତିନି ପିଲାଙ୍କ ମୃତଦେହ ଭାସୁଥିବାର ଦୁଃଖଦ ଘଟଣା ଗୁରୁବାର ଅପରାହ୍ନରେ ଦେଖିବାକୁ ମିଳିଥିଲା। ମୃତକ ହେଲେ ମାମାନି ଜୋସ୍ନା (୩୦)(ତିନି ପିଲାଙ୍କ ମାଆ), ଝିଅ ବର୍ଷା(୧୦), ଦିଶା (୮) ଓ ପୁଅ ମୁନା (୮) । ଏମାନଙ୍କ ଘର କୁଜଙ୍ଗସ୍ଥିତ ଜଗନ୍ନାଥପୁରରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ କୁଜଙ୍ଗସ୍ଥିତ ଜଗନ୍ନାଥପୁର ଶନିମନ୍ଦିର ନିକଟରେ ଥିବା ମହାନଦୀରେ ଚାରିଟି ମୃତଦେହ ଭାସୁଥିବାର ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ବାହାରକୁ ଆଣିଥିଲେ। ସ୍ଥାନୀୟଲୋକଙ୍କ କହିବାନୁସାରେ, ଏହି ମାଆ, ଝିଅ ଓ ପୁଅ ଗତକାଲି ଅପରାହ୍ନ ୧୨ଟା ପରଠାରୁ ଘରେ ନ ଥିଲେ। ରାତିରେ ବି ଘରକୁ ନ ଫେରିବାରୁ ସେମାନେ କେଉଁ ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି ବୋଲି ଗ୍ରାମବାସୀ ଭାବିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, କିଛଦିନ ତଳେ ମୃତକଙ୍କ ପିତା ଡିୟୁଟି ଯାଉଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚାରିିଦିନ ଡାକ୍ତରଖାନାରେ ରହିବାପରେ ତାଙ୍କର ମୃତ୍ୟୁ ହରାଇଥିଲା। ଏହାପରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଦିଆଯାଇଥିଲା।

ତେବେ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଏହି ମାଆ, ପୁଅ ଓ ଝିଅଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣା ଯାଞ୍ଚ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର