ଦଶ ଦିନ ହେଲା ଅନ୍ଧାରରେ ପାଟଖଲିଆ ଗ୍ରାମ

ଚନ୍ଦାହାଣ୍ଡି: ଦଶ ଦିନ ପୂର୍ବେ ଟ୍ରାନ୍ସଫର୍ମର ପୋଡିଗଲା। ହେଲେ ଏ ଯାଏଁ ମରାମତି ହୋଇପାରୁନି କି ନୂତନ ଟ୍ରାନ୍ସଫର୍ମର ମଧ୍ୟ ଲଗାଯାଉନାହିଁ। ଫଳରେ ଅନ୍ଧାରରେ ରହୁଛନ୍ତି ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ପାଟଖଲିଆ ଗ୍ରାମବାସୀ। ଏହି ଗ୍ରାମରେ ଶତାଧିକ ପରିବାର ବାସ କରୁଛନ୍ତି। ନୂତନ ଟ୍ରାନ୍ସଫର୍ମର ବାସଇବାକୁ ଗ୍ରାମର କିଛି ଯୁବକ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିବାରୁ ସମସ୍ତ ଉପଭୋକ୍ତା ବିଲ ଟଙ୍କା ପୈଠ କଲେ ନୂତନ ଟ୍ରାନ୍ସଫର୍ମର ଲାଗିବ ବୋଲି ଅଧିକାରୀ କହୁଛନ୍ତି।

ଅପର ପକ୍ଷରେ ବକେୟା ଥିବା ଉପଭୋକ୍ତା ବିଲ୍‌ ପୈଠ କରିବାକୁ ଚାହୁଁଥିଲେ ହେଁ ବିଭାଗୀୟ ଅଧିକାରୀ ଆସୁନଥିବା ଉପଭୋକ୍ତା ପ୍ରଦୀପ ଦାଶ, ସନ୍ତୋଷ ଦାଶ, ଶ୍ରୀବତ୍ସ ପଣ୍ଡା, ଗଙ୍ଗାରାମ ମାଝୀ, ଗୈାରହରୀ ନାୟକ, ସୀମାଞ୍ଚଳ ରଥ, ଭୂଜବଳ ନାଗେଶ, ତ୍ରିନାଥ ଡଙ୍ଗରୀ ପ୍ରମୁଖ ପ୍ରକାଶ କରିଛନ୍ତି। ଗୋଟିଏପଟେ ପାର୍ବଣ ଋତୁ ଚାଲିଥିବା ବେଳେ ଅନ୍ୟପଟେ ଅସହ୍ୟ ଗୁଳୁଗୁଳି ଯୋଗୁଁ ବିଦ୍ୟୁତ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପାଟଖଲିଆ ଗ୍ରାମରେ ଆଜିଠାରୁ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ବିଦ୍ୟୁତ ନଥିବାରୁ ବାଧ୍ୟ ହୋଇ ଜେନରେଟର ଲଗାଇ ପୂଜା କାର୍ଯ୍ୟ ତୁଲାଉଥିବା ଜଣାପଡିଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର