ସମ୍ବଲପୁର ପୁଲିସ୍‌ର ନୂଆ ପ୍ରୟାସ: ପିସିଆର ଭ୍ୟାନ୍‌ରେ ଲାଗିଲା ଜିପିଏସ୍‌ ଟ୍ରାକିଂ ସିଷ୍ଟମ୍‌, ପୁଲିସ୍‌ ଉପରେ ନଜର ରଖିବ ପୁଲିସ

ସମ୍ବଲପୁର: ‘ମୋ ସରକାର’ କାର୍ଯ୍ୟକ୍ରମ ଅଧିନରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ସମ୍ବଲପୁରରେ ସମନ୍ଵିତ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। ଏହି ନୂତନ ବ୍ୟବସ୍ଥା ଆରମ୍ଭ ହୋଇଯିବା ପରେ ପୁଲିସ ଉପରେ ପୁଲିସ ନଜର ରଖିପାରିବ। ତେଣୁ ଆଜି ୧୫ଟି ପିସିଆର ଭ୍ୟାନ୍‌ରେ ଜିପିଏସ ଖଞ୍ଜା ଯାଇଛି। ଏହା ଦ୍ୱାରା ଅପରାଧ ଘଟୁଥିବା ସ୍ଥାନରେ ଅତିଶୀଘ୍ର ପିସିଆର ଭ୍ୟାନ ପହଞ୍ଚି ପାରିବ ବୋଲି ବୁଧବାର ଉତ୍ତରାଂଚଳ ଡିଆଇଜି ହିମାଂଶୁ ଲାଲ୍‌ କହିଛନ୍ତି।

ସ୍ଥାନୀୟ କଚେରୀ ଛକ ନିକଟସ୍ଥ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଜିପିଏସ୍‌ ସିଷ୍ଟମ୍‌ ଖଞ୍ଜା ଯାଇଥିବା ପିସିଆର ଭ୍ୟାନ୍‌କୁ ଉଦ୍‌ଘାଟନ କରି ଡିଆଇଜି କହିଛନ୍ତି, ନୂତନ ବ୍ୟବସ୍ଥା ଦ୍ୱାରା କେଉଁ ସ୍ଥାନରେ କେଉଁ ପିସିଆର କାର୍ଯ୍ୟକ୍ଷମ ଅଛି। ଅପରାଧ ସ୍ଥଳକୁ କେଉଁ ପିସିଆର ଠିକଣା ସମୟରେ ପହଞ୍ଚିବ ତାହା ଟ୍ରାକିଂ କରି ଜାଣିହେବ ଏବଂ ସେଇ ପିସିଆରକୁ ସେଠାକୁ ପଠାଯିବ। ଏଥିସହ ପିସିଆର୍ ଠିକ ସମୟରେ ଅପରାଧସ୍ଥଳରେ ପହଞ୍ଚିଲା ନା ନାହିଁ ତାହା ତନଖି ଲାଗି  ଜିପିଏସ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ଅନେକ ସମୟରେ ଲୋକଙ୍କ ଅଭିଯୋଗ ଅନୁସାରେ ପିସିଆର ଘଟଣାସ୍ଥଳକୁ ପହଞ୍ଚି ନ ଥାଏ। ତେଣୁ ଏହି ବ୍ୟବସ୍ଥା ଲାଗୁ ହେବା ପରେ ଘଟଣାସ୍ଥଳରେ ପିସିଆର ଭ୍ୟାନ୍‌ ଠିକ୍‌ ସମୟରେ ପହଞ୍ଚୁଛି କି ନାହଁ ତାହା ପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରୁ ନଜର ରଖାଯାଇ ପାରିବ।

ଦେଶରେ ବୃଦ୍ଧି ପାଉଥିବା ମହିଳା ବିରୋଧୀ ଅପରାଧକୁ ଆଖି ଆଗରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ଏହି ଅଭିନବ ବ୍ୟବସ୍ଥା ଆରମ୍ଭ କରାଯାଇଛି। କୌଣସି ବି ସମୟରେ କୌଣସି ସ୍ଥାନରେ ମହିଳାଙ୍କ ସହ ହେଉଥିବା ଅତ୍ୟାଚାର ଘଟଣାର ଖବର ପାଇଲେ ଏହି ପିସିଆର ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚିଯିବ। ବୁଧବାର ସମ୍ବଲପୁର ପୁଲିସରେ ସାମିଲ ହୋଇଛି ୧୦ଟି ପାଟ୍ରୋଲିଂ ମୋଟର ସାଇକେଲ। ଏହା ମଧ୍ୟରେ ୨ଟି ପାଟ୍ରୋଲିଂ ମୋଟର ସାଇକେଲକୁ ମହିଳା ପୁଲିସ ଚଳାଇବେ। ଏହା ଫଳରେ ମହିଳା ସଶକ୍ତିକରଣ ହେବା ସହ ଏବଂ ମହିଳାଙ୍କ ମନରେ ସାହସ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର