ବ୍ରହ୍ମପୁର: ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ୍)ରେ ଆସୁଥିବା ସାମଗ୍ରୀ କାରବାର ଅନ୍ଲାଇନ୍ରେ ନ କରି ହରଡ଼ଘଣାରେ ପଡିଛନ୍ତି ଗଞ୍ଜାମ ଜିଲ୍ଲାର ୬୫ ଡିଲର୍। ବାରମ୍ବାର ତାଗିଦ୍ ସତ୍ତ୍ୱେ ଖିଲାପ କରିବାରୁ ଏମାନଙ୍କ ଲାଇସେନ୍ସ ନବୀକରଣ ନ କରିବା ଲାଗି ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ସଚିବ। ଏହି ଡିଲର ମାନେ ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ହୋଇଥିବା ଜଣାପଡ଼ିଛି।
ସାଧରଣ ବଣ୍ଟନ ସାମଗ୍ରୀର ବ୍ୟାପକ ବାଟମାରଣା ରୋକିବା ଲାଗି ସରକାର ଅନଲାଇନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏଥିପାଇଁ ହିତାଧିକାରୀଙ୍କ ଆଧାର କାର୍ଡ଼ ବାଧତାମୂଳକ କରିବା ସହ ପ୍ରତ୍ୟେକ ଡିଲର୍ସଙ୍କୁ ଗୋଟିଏ ଲେଖାଏଁ ପଏଣ୍ଟ୍ ଅଫ୍ ସେଲ୍(ପିଓଏସ୍) ମେସିନ୍ ଦିଆ ଯାଇଥିଲା। ଜିଲ୍ଲାର ହିତାଧିକାରୀଙ୍କ ମଧରୁ ୯୯.୨୩ ପ୍ରତିଶତ ହିତାଧିକାରୀଙ୍କ ରାସନ୍ କାର୍ଡ଼କୁ ଆଧାର ସଂଯୋଗୀକରଣ କରା ଯାଇଥିଲା। ୮୫ ପ୍ରତିଶତଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ସଂଯୋଗୀକରଣ କରା ଯାଇଥିବା ବେଳେ ୬୫ ପ୍ରତିଶତଙ୍କ ମୋବାଇଲ୍ ନମ୍ବର ସଂଯୋଗୀକରଣ କରାଯାଇଛି। ସବୁ ଡିଲର୍ସଙ୍କୁ ‘ପିଓଏସ୍’ ମେସିନ୍ ଜରିଆରେ ହିତାଧିକାରୀଙ୍କୁ ପିଡ଼ିଏସ୍ ସାମଗ୍ରୀ ଦେବା ପାଇଁ କୁହା ଯାଇଥିଲା। ମାତ୍ର ବାରମ୍ବାର ତାଗିଦ୍ ପରେ ଗଞ୍ଜାମ ଜିଲ୍ଲାର କିଛି ଡିଲର୍ ଅନ୍ଲାଇନ୍ କାରବାର ଉପରେ ଗୁରୁତ୍ୱ ଦେଲେ ନାହିଁ।
/sambad/media/post_attachments/wp-content/uploads/2019/03/pds-300x150.jpg)
କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି ସ୍ଥିତି ଦେଖିବାକୁ ମିଳିବା ପରେ ଗତ ୧୨ତାରିଖରେ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ରାଜ୍ୟର ୨୫୯୩ ଡିଲର୍ସଙ୍କ ଲାଇସେନସ୍ ନବୀକରଣ ବନ୍ଦ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ୬୫ ଜଣ ଡିଲର ରହିଛନ୍ତି। ଏମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମର ୩୨ଜଣ, ଆସିକା ଏନ୍ଏସିର ୪ଜଣ, ଭଞ୍ଜନଗରର ୨ଜଣ, ବୁଗୁଡ଼ାର ୪ଜଣ, ହିଞ୍ଜଳିର ଜଣେ, ଖଲ୍ଲିକୋଟର ୩ ଜଣ, କୋଦଳାର ୨ଜଣ, ଗଞ୍ଜାମର ଜଣେ, ଗୋପାଳପୁର, ଦିଗପହଣ୍ଡି ଓ ରମ୍ଭା ଏନ୍ଏସିର ଜଣେ ଲେଖାଏଁ, ପୋଲସରା ଓ ପୁରୁଷୋତ୍ତମପୁର ଏନ୍ଏସିର ୩ଜଣ ଲେଖାଏଁ ଏବଂ ଛତ୍ରପୁର ଏନ୍ଏସିର ୮ଜଣ ରହିଛନ୍ତି। ଯୋଗାଣ ସଚିବଙ୍କ କାର୍ଯ୍ୟାନୁଷ୍ଠାନ ପରେ ଅନ୍ୟ ଡିଲର୍ସଙ୍କ ମଧରେ ଭାଳେଣି ପଡ଼ିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/pds.jpg)