କୌଳିକ ବେଉଷା ଉପରେ କରୋନା ପ୍ରହାର: କନ୍ଧମାଳର ୫ହଜାର ବାଉଁଶ ଟୋକେଇ ବୁଣାଳିଙ୍କ ପରିବାର ଭୋକିଲା

ଫୁଲବାଣୀ: କରୋନା ବିଶ୍ବରେ ଆତଙ୍କ ଖେଳାଇ ଚାଲିଛି। ଆମ ଦେଇ ଓ ରାଜ୍ୟରେ ବି ସଂକ୍ରମିତ ସଂଖ୍ୟା ବଢି ଚାଲିଛି। ଏଭଳି ସ୍ଥଳେ ଜୀବିକା ହରାଇଥିବା ଲୋକଙ୍କ ପାଇଁ ସରକାର ସହାୟତା ବ୍ୟବସ୍ଥା କରିଛନ୍ତି। ହେଲେ ବହୁତ ରହି ଯାଇଛନ୍ତି ଯେଉଁମାନେ କରୋନା ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। କୌଳିକ ‌ବେଊଷା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ବାଉଁଶ ଟୋକେଇ ବୁଣାଳିଙ୍କୁ କିଛି ସହାୟତା ମିଳି ପା‌ରି ନାହିଁ। ଯାହା ଫଳରେ  ୧୫ ଦିନ ହେଲା କରୋନା କଟକଣା ଲକ୍ ଡାଉନ ଯୋଗୁଁ ଭୋକ ଉପାସରେ ଦିନ କାଟୁଛନ୍ତି ବାଉଁଶ ଟୋକେଇ ବୁଣାଳିଙ୍କ ପରିବାର।

କନ୍ଧମାଳ ଜିଲ୍ଲାରେ ପ୍ରାୟତଃ ୫ହଜାର ବାଉଁଶ ଟୋକେଇ ବୁଣି ପରିବା ଚଳାଇ ଥାନ୍ତି। ବାଉଁଶ କିଣା ଅଧିକ। ତାସତ୍ତ୍ବେ  ଟୋକେଇ ବୁଣି ବିକ୍ରି ପରେ ଯାହା କିଛି ଟଙ୍କା ମିଳୁଛି ସେଥିରେ ବୁଣାଳି ପରିବାର ଚଳାଇଥାନ୍ତି। ଜିଲ୍ଲା ସଦର ମହକୁମା ଫୁଲବାଣୀ ୮ ନମ୍ବର ୱାର୍ଡ ନୂଆସାହିରେ ୨୫ରୁ ୩୦ ପରିବାର ଅଛନ୍ତି ଯେଉଁମାନଙ୍କ କାମ ହେଲା ବାଉଁଶ ଟୋକେଇ ବୁଣିବା। ପୁରୁଷମାନେ ଶ୍ରମିକ କାମ କରନ୍ତି। ସେମାନେ ସକାଳୁ ଯାଇ ସଂଧ୍ୟାରେ ଫେରନ୍ତି। ବାକି ମହିଳା,ବୁଦ୍ଧ,ବୃଦ୍ଧା ଓ ଛୋଟ ପିଲାମାନେ ମୁଖ୍ୟ ରାସ୍ତା ଡ୍ରେନ ଉପରେ କି ଖରା କି ବର୍ଷାରେ ରାସ୍ତା ଡ୍ରେନ ଉପରେ ବସି ବାଉଁଶ ଟୋକେଇ ତିଆରିରେ ଲାଗି ପଡନ୍ତି। ଟୋକେଇ ବୁଣା ପରେ ମହିଳାମାନେ ସାହିସାହି ବୁଲି ବିକ୍ରି କରିଥାନ୍ତି। ଆଉ ବରାଦ ଅନୁଯାୟୀ ଯୋଗାଇ ଥାନ୍ତି। ଏଥିରୁ ଯାହା ମିଳେ ସେଥିରେ ପରିବାର ଚଳେ। ପିଲାଙ୍କ ପାଠରୁ ଆରମ୍ଭ କରି ସବୁ କିଛି ଏଥିରୁ ସଂଗୃହୀତ ଲାଭାଂଶରୁ ହୋଇଥାଏ।

୧୫ ଦିନ ହେଲା କରୋନା କଟକଣା ଓ ତାପରେ ଲକ୍ ଡାଉନ ଯୋଗୁଁ ପୁରୁଷମାନେ ଶ୍ରମିକ କାମ କରିବାକୁ ଯାଇ ପାରୁ ନାହାନ୍ତି। ଆଉ ବାଉଁଶ ଟୋକେଇ ବୁଣା ହୋଇ ପାରୁ ନାହିଁ ବୋଲି କହନ୍ତି ସୀମାରାଣୀ ପରିଛା ଓ ଚନ୍ଦ୍ରମା ପରିଛା। ନିର୍ମାଣ ଶ୍ରମିକ ଓ ଉଠା ଦୋକାନୀଙ୍କୁ କରୋନା ସହାୟତା ମିଳିଲା। ହେଲେ ଆମ ଦୁଃଖ କଥା କେହି ଶୁଣିଲେ ନାହିଁ ବୋଲି କହନ୍ତି ଜାନକୀ ପରିଛା,କୁନ୍ତୀ ପରିଛା ଏବଂ ସଂଜୁ ପରିଛା।

ବାଉଁଶ ଟୋକେଇ ବୁଣିବା ହେଉଛି ସେମାନଙ୍କ କୌଳିକ ବୃତ୍ତି। ଲାଭ ନଥିଲେ ବି କୌଳିକ ବେଉଷାକୁ ଛାଡି ପାରୁ ନାହାନ୍ତି। ଯାହା ଯେମିତି ସବୁ କିଛି ଚାଲିଥିବା ବେଳେ ଏବେ କରୋନା ସେମାନଙ୍କ ପାଇଁ ବଡ ଦୁଃଖ ଆଣି ଦେଇଛି। ପାଖରେ ଯାହା ଟଙ୍କା ଥୁଲା ସେଥିରେ କିଛି ଦିନ ଚାଲିଗଲା। ଏବେ ଆଉ କାହା ପାଖରେ ଟଙ୍କା ନାହିଁ। ମାଗିଯାଚି ଖାଉବାକୁ ପଡୁଛି ତ ଆଉ କେତେ ବେଳେ ଉପବାସରେ ରହିବାକୁ ପଡୁଛି ବୋଲି କହନ୍ତି ମିନତୀ ପରିଛା। ସରକାର ଓ ପ୍ରଶାସନ ଏ ନେଇ ଦୃଷ୍ଟି ଦେବା ସହ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର