ଫୁଲବାଣୀ: ପୁଣି ବଢିଲା ତାତି। ଫୁଲବାଣୀରେ ଗତକାଲି ତାପମାତ୍ର ୪୦ ଛୁଇଁଥିବା ବେଳେ ଆଜି ୪୧ ଟପିଯାଇଛି। ଆଜି ତାପମାତ୍ରା ୪୧.୪ ରହିଛି। ଏହାକୁ ନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଜଳଛତ୍ର ଖୋଲା ଯାଇ ନାହିଁ। ବିଶେଷତଃ ଫୁଳବାଣୀ,ବାଲିଗୁଡା ଓ ଜି.ଉଦୟଗିରି ସହରାଞ୍ଚଳରେ ଆଜି ସୁଦ୍ଧା ଗୋଟିଏ ହେଲେ ବି ଜଳଛତ୍ର ଖୋଲି ନଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
କରୋନା ପାଇଁ ବ୍ୟସ୍ତ ଥିବା ପ୍ରଶାସନ ଜଳଛତ୍ର ଖୋଲିବାକୁ ଭୂଲି ଯାଇଛି ବୋଲି କୁହାଯାଉଛି। ଫୁଲବାଣୀ ସହରର ଜନଗହଳି ସ୍ଥାନମାନଙ୍କରେ ୨-୩ ଦିନ ମଧ୍ୟରେ ଜଳଛତ୍ର ଖୋଲଯିବା ନିମନ୍ତେ ବ୍ୟବସ୍ଥା କରାଯାଉଛି ବୋଲି ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା କହିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ଜିଲ୍ଲାର ସବୁଠି ପାଣି ପାଇଁ ହାହାକାର ପଡିଲାଣି। ଜଳସ୍ତର ହ୍ରାସ ଯୋଗୁ ନଳକୂପରୁ ଆବଶ୍ୟକ ପାଣି ବାହାରୁ ନାହିଁ। ବାଲଟିଏ ପାଣି ପାଇଁ ନଳକୂପ ନିକଟରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଲାଣି।
ନଦୀ, ନାଳରୁ ପାଣି ଶୁଖିବା ଆରମ୍ଭ ହେଲାଣି। ଏଥି ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିବର୍ଷ ଖରା ଦିନେ ଜଳ ଯନ୍ତ୍ରଣା ହେଉଛି। ହେଲେ ସରକାର ଓ ପ୍ରଶାସନ ପକ୍ଷରୁ ଆଶ୍ବସନା ମିଳୁ ଥିଲେ ବି କୌଣସି ବିକଳ୍ପ ବ୍ୟବସ୍ଥା କିଛି କରାଯାଉ ନ ଥିବା ଅଭିଯୋଗ ହେଉଛି। ପାଣି ଅଭାବରୁ ଲୋକମାନେ ବାଧ୍ୟ ହୋଇ ନାଳ ଓ ଝରଣା ଦୂଷିତ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏଥିରେ ବହୁ ଲୋକ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ହେଲେ ଗ୍ରାମାଞ୍ଚଳରେ ଜଳ ସମସ୍ୟା ଦୂର ପାଇଁ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ଉଦ୍ୟମ କରୁ ନଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଅଂଶୁଘାତ ମୁକାବିଲା ସହ ଜଳ ଯନ୍ତ୍ରଣା ଦୂର ନିମନ୍ତେ ପ୍ରଶାସନ ଆବଶ୍ୟକ ବ୍ୟବସ୍ଥା ସହ ଜରୁରୀ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/plbmay23-water-and-khara.jpg)