ପିଏଲ୍‌ଜିଏ ସପ୍ତାହ ପାଳନ:ସରକାରୀ ବସ୍‌ ଚଳାଚଳ ବନ୍ଦ, ଲୋକେ ହନ୍ତସନ୍ତ

ତୁମୁଡ଼ିବନ୍ଧ: ସିପିଆଇ ମାଓବାଦୀ ପକ୍ଷରୁ ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ମାରି ବନ୍ଦ ରଖିବା ସକାଶେ ଆହ୍ଵାନ କରିଥିଲେ । ଏନେଇ ଆଜି ସୁରକ୍ଷା ଦୃଷ୍ଟିରୁ ଆଜି ଠାରୁ ବାଲିଗୁଡ଼ା ଦେଇ ଯାଉଥିବା ସମସ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ ହୋଇଛି । ଫଳରେ, ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଗତକାଲି ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ନିକଟସ୍ଥ ୫୯ନଂ ଜାତୀୟ ରାଜପଥ କଡ଼ରେ ଦୁଇଟି ପୋଷ୍ଟର ଓ ବ୍ୟାନର ମାରି ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ଵାନ କରାଯାଇଥିଲା । ଆଜି ଉମରକୋଟ, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ଅଞ୍ଚଳରୁ ଆସୁଥିବା ଓ ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ଦେଇ ଯାଉଥିବା ସମସ୍ତ ସରକାରୀ ବସ୍‌ ଆଜି ରାତିରୁ ବନ୍ଦ ହୋଇଯିବା ସୂଚନା ମିଳିଛି । ସେହିଭଳି, ଆସନ୍ତା କାଲି ସକାଳୁ ଶ୍ରୀରାମପୁର, ସୁବର୍ଣ୍ଣଗିରି, ବେଲଘର, ଲଙ୍କାଗଡ଼ ଓ ବିଲାମାଳ ଅଞ୍ଚଳକୁ ଯାଉଥିବା ସରକାରୀ ବସ୍‌ ଚଳଚଳ ବନ୍ଦ ରହିବ ବୋଲି ସରକାରୀ ବସ୍‌ ଟିକଟ କାଉଣ୍ଟର ପକ୍ଷରୁ କୁହାଯାଇଛି ।

ଏହା ଦ୍‌ାରା ଲୋକେ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ଅନ୍ୟ ଗାଡ଼ି ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ । ମାଓବାଦୀଙ୍କର ଏଭଳି କାର୍ଯ୍ୟକଳାପକୁ ଆଖିରେ ରଖି ସିଆର୍‌ପିଏଫ୍‌ ପକ୍ଷରୁ ଲୋକଙ୍କୁ ସଚେତନତା ଓ ଜନସଂପର୍କ ଅଭିଯାନମାନ କରାଯାଉଥିବା ବେଳେ ସର୍ଚ ଓ କୁମ୍ବିଂ ଅପରେସନକୁ ଜୋରଦାର୍‌ କରାଯାଇଛି । କନ୍ଧମାଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖଯାଇଛି ଏବଂ ଠିକ୍‌ ସମୟରେ ଠିକ୍‌ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ, ଯେମିତି କୌଣସି ପ୍ରକାରେ ଅଘଟଣ ନ ଘଟେ, ସେଥିପ୍ରତି ପୁଲିସ ସତର୍କ ରହିଥିବା ସେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର