ଦୀପ ଜାଳିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିବା ପରେ…, ଦୀପ ଗଢ଼ାରେ ବ୍ୟସ୍ତ କୁମ୍ଭାର ପରିବାର

ରାଉରକେଲା: ମହାମାରୀ କରୋନା ଭାଇରସ୍ ରୂପକ ଅନ୍ଧକାରକୁ ଦୂର କରିବା ନିମନ୍ତେ ୯ ମିନିଟ୍ ପାଇଁ ମହମବତି, ଦୀପ, ଟର୍ଚ ବା ମୋବାଇଲ୍ ଟର୍ଚ ଜଳାଇବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତାକାଲି (ରବିବାର) ରାତି ୯ଟାରେ ୯ ମିନିଟ୍‌ ପର୍ଯ୍ୟନ୍ତ ଦେଶବାସୀ ଘରର ସମସ୍ତ ଲାଇଟ୍‌ ବନ୍ଦ କରି ଦ୍ବାର, ବାଲ୍‌କୋନିରେ ଦୀପ, ମହମବତୀ, ମୋବାଇଲ ଫ୍ଲାସ୍‌, ଟର୍ଚ୍ଚ ଜାଳିବେ। ଦୀପ ଜାଳିବା କଥା ଶୁଣିବା ପରେ ଲକ୍‌ଡାଉନ୍‌ର ହାତ ବାନ୍ଧି ବସିଥିବା କୁମ୍ଭାର ପରିବାର ଦି’ ପଇସା ରୋଜଗାର ଆଶା ରଖିଛନ୍ତି। ଗତକାଲିଠୁ ପରିବାରଲୋକଙ୍କ ସହ ଦୀପ ଗଢ଼ିବାରେ ଲାଗି ପଡିଛନ୍ତି।

ସହରର ବନ୍ଧମୁ୍ଣ୍ଡା ରୋଡ କୋଇଲା ଗେଟ୍‌, ବାସନ୍ତୀ କଲୋନି କୁମ୍ଭାର ପଡା, ଉଦିତନଗର କୁମ୍ଭାରପଡା, ବନ୍ଧମୁଣ୍ଡା ଡି ସେକ୍ଟର ସାପ୍ତାହିକ ହାଟ ବସ୍ତି, ଫର୍ଟିଲାଇଜର ବାଲିଯୋଡି, ସ୍ବପ୍ନେଶ୍ବର ମନ୍ଦିର ବସ୍ତି, ବେଦବ୍ୟାସ ଆଦି ଅଞ୍ଚଳର କୁମ୍ଭାର ଦୀପ ଗଢ଼ିବାରେ ବ୍ୟସ୍ତ। କୋଇଲା ଗେଟ୍‌ ରେ ରହୁଥିବା ୧୦ରୁ ଅଧିକ କୁମ୍ଭାର ପରିବାର ହଜାର ହଜାର ଦୀପ ଗଢ଼ି ସେଗୁଡ଼ିକୁ ଭାଟିରେ ପୋଡି ସାରିଛନ୍ତି। ଅନ୍ୟ କିଛି କୁମ୍ଭାର ଦିନ ତମାମ ତିଆରି କରିଥିବା ଦୀପ ଗୁଡ଼ିକ ରାତିରେ ପୋଡିବେ। ଏଭଳି ଦୁର୍ଦ୍ଦିନ୍‌ରେ ଦି’ ପଇସା ରୋଜଗାର ହେଲେ ପରିବାର ଚଳିବ ବୋଲି କହିଛନ୍ତି କୋଇଲା ଗେଟ୍‌ର ଉମେଶ ଠାକୁର। ସେ କହିଛନ୍ତି, ପ୍ରାୟ ୧୫ ବର୍ଷରୁ ଅଧିକ ଦିନ ହେବ ୧୦ରୁ ଅଧିକ ପରିବାର ଏଠାରେ ରହୁଛନ୍ତି। ମାଟିରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି, ମାଟି ହାଣ୍ଡି ସମେତ ଅନ୍ୟାନ୍ୟ ଜିନିଷ ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି। କରୋନା ପାଇଁ ଗତ ମାର୍ଚ୍ଚ ୨୨ରୁ ଲକ୍‌ଡାଉନ୍‌ ହେବା ପରେ ପରିବାର ପ୍ରତିପୋଷଣ ଚିନ୍ତା ବଢ଼ି ଯାଇଛନ୍ତି।

ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିବାରୁ ହଜାର ହଜାର ଦୀପ ବିକ୍ରି ନ ହୋଇ ପଡିଛି। ରୋଜଗାର ନଥିବାରୁ ପିଲାମାନେ ଦିନକୁ ଠିକ୍‌ ଭାବେ ଦୁଇ ଓଳା ଖାଇବାକୁ ପାଉ ନାହାନ୍ତି। ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶବାସୀଙ୍କୁ ଦୀପ ଜାଳିବାକୁ ନିବେଦନ କରିବା ପରେ ସହର ଓ ଗ୍ରାମାଞ୍ଚଳର କିଛି ଦୋକାନୀ ଦୀପ ନେବାକୁ ଅର୍ଡର ଦେଇଛନ୍ତି। ସେମାନଙ୍କ ଅର୍ଡର ଅନୁଯାୟୀ ପରିବାର ସହ ଗତକାଲି ଠାରୁ ଦୀପ ତିଆରିରେ ଲାଗି ପଡୁଛି। ସହରର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ୩୦ରୁ ୪୦ ହଜାର ଦୀପ ତିଆରି କରିଥିଲୁ। ଲକ୍‌ଡାଉନ୍‌ କଟକଣା ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଏକାଠି ହେବା ସମ୍ପୂର୍ଣ୍ଣ ବାରଣ କରାଯିବା ପରେ ଏସବୁ ଦୀପ ବିକ୍ରି ନ ହୋଇ ପଡିଛି। କିଛି ବ୍ୟବସାୟୀ ଏହି ଦୀପଗୁଡ଼ିକ ନେଇ ସାରିଲେଣି। ଆସନ୍ତାକାଲି ସକାଳ ୬ଟାରୁ ଆଉ କିଛି ବ୍ୟବସାୟୀ ଦୀପ ନେବେ। ଯାହା କିଛି ମିଳିବ ପରିବାର ଅତି କମ୍‌ରେ ୭ ଦିନ ଚଳିଯିବ ବୋଲି କହିଛନ୍ତି ଉମେଶ।

ସମ୍ବନ୍ଧିତ ଖବର