କରୋନା ପାଇଁ କନ୍ଧମାଳ ଲକଡାଉନ୍: କଟକଣା କଡା କରିବାକୁ ପୁଲିସର ଫ୍ଲାଗମାର୍ଚ୍ଚ

ଫୁଲବାଣୀ: କରୋନାକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ଦିନକୁ ଦିନ ବହୁ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି। କରୋନା ପାଇଁ କନ୍ଧମାଳରେ ଏବେ ବି ୧୪୪ ଧାରା ବଳବତ୍ତର ରହିଥିବା ବେଳେ ଆଜି ମଧ୍ୟ ରାତ୍ରରୁ ଲକଡାଉନ ହେଉଛି। ଲକଡାଉନ କଟକଣାକୁ କଡାକଡି ପାଳନ କରିବା ନିମନ୍ତେ ପ୍ରଶାସନ ଓ ପୁଲିସ ପକ୍ଷରୁ ପ୍ରସ୍ତୁତି ଚାଲିଛି।

ଡାକବାଜି ଯୋଗେ ପୁଲିସ ଲୋକଙ୍କୁ ଅବଗତ କରିବା ସହ ସବୁ ଆଡେ ପଇଁତରା ମାରିବା ଆରମ୍ଭ କରି ଦେଇଛି। ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ବାକି ଅନ୍ୟ ଦୋକାନ ଖୋଲା ଯିବ ନାହିଁ। ସମସ୍ତେ ଘର ରୁହନ୍ତୁ,ସୁସ୍ଥ ରୁହନ୍ତୁ। ଏଭଳି ବାର୍ତ୍ତା ଲୋକଙ୍କୁ କୁହାଯାଉଥିବା ବେଳେ କିଛି ଅମାନିଆ ଅଛନ୍ତି ଏହାକୁ ହାଲକା ଭାବେ ନେଉଛନ୍ତି।

ଆସନ୍ତାକାଲିଠାରୁ ଲକ୍ ଡାଉନ ହେବା‌ ପରେ କଟକଣା ଅମାନ୍ୟ କରୁଥିବା ଅମାନିଆଙ୍କୁ ପୁଲିସ ସାବାଡ କରିବା ସମ୍ଭାବନା ରହିଛି। ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ ପୁଲିସ ଆଜି ସଂଧ୍ୟାରୁ ଏକରକମ ଲକଡାଉନ ଲାଗୁ କରି ଦେଇଥିବା ଭଳି ମନେ ହେଉଛି। କରୋନାକୁ ପ୍ରତିହତ କରିବା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ ଓ କଟକଣାକୁ ମାନିବାକୁ ପୁଲିସ ସମସ୍ତଙ୍କୁ ଅନୁରୋଧ କରିଛି।

କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଦିନ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରଖିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ବାହାରକୁ ବାହାରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଅଯଥା ବାହାରେ ବୁଲାବୁଲି କରୁଥିବା ଲୋକମାନଙ୍କୁ ବାଲିଗୁଡା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ବାଲିଗୁଡା ଏସ.ଡ଼ି.ପି.ଓ ମାନସ ରଞ୍ଜନ ବାରିକ ତୁମୁଡିବନ୍ଧ ବିଡ଼ିଓ ଅଗସ୍ତି ପ୍ରଧାନ ଓ ଥାନା ଅଧିକାରୀ ବାବା ଶଙ୍କର ସରାଫ ସବୁ ପଞ୍ଚାୟତର ସାହି ସାହି ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି।

ସମ୍ବନ୍ଧିତ ଖବର