ଥାନାରେ ମୃତକଙ୍କ ପରିବାରକୁ ଭେଟିଲେ ଏସ୍‌ପି

କାଠ ଚୋରି ଅଭିଯୋଗରେ ରେଞ୍ଜ ଅଫିସରେ ଅଟକ ଯୁବକଙ୍କ ମୃତ୍ୟୁ ଘଟଣା

ସିନାପାଲି: ଓଡ଼ିଶା ସୀମାନ୍ତ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ଧରୁଆଗୁଡି ରେଞ୍ଜ ଅଫିସରେ ଗତ ୧୬ ତାରିଖ ଗୁରୁବାର ଦିନ ରାତ୍ରିରେ ଶାଗୁଆନ କାଠ ଚୋରି ଅଭିଯୋଗରେ ଅଟକ ଥିବା ଓଡିଶା ରାଜ୍ୟ ସିନାପାଲି ଥାନା ଅନ୍ତର୍ଗତ ତାଲାକୋଟର ଭାନସିପଡ଼ାର ଲବକୁମାର ମାଝୀଙ୍କ ଆତ୍ମହତ୍ୟା ଭିନ୍ନ ମୋଡରେ ପହଞ୍ଚିଛି। ଗୁରୁବାର ନୂଆପଡ଼ା ଏସ୍‌ପି ସ୍ମିତ ପରମାର ସିନାପାଲି ଥାନାରେ ପହଞ୍ଚି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିଛନ୍ତି। ସେ ମୃତକଙ୍କ ପରିବାର ସଦସ୍ୟଙ୍କ ସହ ସିନାପାଲି ଥାନାରେ ଆଲୋଚନା କରିଥିଲେ। ଅଞ୍ଚଳର ବରିଷ୍ଠ ନାଗରିକ, ଆଦିବାସୀ ନେତା ଓ କିଛି ରାଜନୈତିକ ଦଳର ନେତା ସାମିଲ ଥିଲେ। ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ସରକାରୀ ସହାୟତା, ପୁଅଝିଅଙ୍କୁ ସରକାରୀ ହଷ୍ଟେଲରେ ରଖି ପାଠପଢା ସୁବିଧା, ରୁଜୁ ହୋଇଥିବା ଉଭୟ ରାଜ୍ୟର ୧୫ ଜଣ ବନ କର୍ମଚାରୀଙ୍କୁ ଯଥାଶିଘ୍ର ଗିରଫ କରିବା ଆଦି ଦାବି ନେଇ ଆଲୋଚନା ହୋଇଥିଲା।

ଅଭିଯୁକ୍ତଙ୍କୁ ଗିରଫ ଓ ଦାବିଗୁଡ଼ିକ ଉପରେ ବିଚାର କରିବେ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ। ମୃତକଙ୍କ ସ୍ତ୍ରୀ ମଦନେ ମାଝୀ, ଝିଅ କୁନ୍ତଳା ମାଝୀଙ୍କ ସମେତ ରାଜ୍ୟ କଂଗ୍ରେସ ସଂପାଦକ ଅଧିରାଜ ପାଣିଗ୍ରାହୀ, ସିନାପାଲି ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେଡି ବ୍ଲକ୍‌ ସଭାପତି ପ୍ରିୟରଂଜନ ମେହେର, ଅନ୍ୟତମ ଜିଲ୍ଲା ପରିଷଦ ସଦସ୍ୟ ଗିରିରାଜ ମାଝୀ, ସିନାପାଲି ବ୍ଲକ୍‌ ଆଦିବାସୀ କଲ୍ୟାଣ ସଂଘ ସଭାପତି ଖଗେଶ୍ୱର ମାଝୀ, ସିନାପାଲି ବ୍ଲକ୍‌ ଉପାଧ୍ୟକ୍ଷ ସୁବାସ ଅଗ୍ରୱାଲ, ବରିଷ୍ଠ ଆଇନଜୀବୀ ତଥା ଆଦିବାସୀ ନେତା ହୀରାଲାଲ ମାଝୀ, ମଧୁସୁଦନ ମାଝୀ, ପୂର୍ଣ୍ଣ ମାଝୀ, ସିନାପାଲି ବ୍ଲକ୍‌ କଂଗ୍ରେସ ସଭାପତି ଖଗେଶ୍ୱର ସା, ସିନାପାଲି ବ୍ଲକ୍‌ ଯୁବ କଂଗ୍ରେସ ସଭାପତି ଅରବିନ୍ଦ ପ୍ରଧାନ, ଆଦିବାସୀ କଲ୍ୟାଣ ସଂଘର ଉପଦେଷ୍ଟା ପ୍ରସନ୍ନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ପଟେ ଶୁକ୍ରବାର ଉକ୍ତ ଘଟଣାକୁ ନେଇ ଉଭୟ ଓଡିଶା ଓ ଛତିଶଗଡ଼ ଆଦିବାସୀ ସଂଘ ପକ୍ଷରୁ ଛତିଶଗଡ ରାଜ୍ୟର ଦେଓଭୋଗ ଓ ଅମଲିପଦର ଥାନା ଘେରାଉ କରାଯିବାକୁ ଆଜି ନିଷ୍ପତ୍ତି ହୋଇଥିବା ଆଦିବାସୀ ସଂଘ ସୂଚନା ଦେଇଛି।

ସମ୍ବନ୍ଧିତ ଖବର