ପୋଷ୍ଟମାଷ୍ଟରଙ୍କଠୁ ୧୫ହଜାର ଲାଞ୍ଚ ନେବା ମହଙ୍ଗା ପଡ଼ିଲା: ସିବିଆଇ ଜାଲରେ ଫସିଗଲେ ପୋଷ୍ଟାଲ୍‌ ଇନ୍‌ସପେକ୍ଟର

ରାଇରଙ୍ଗପୁର: ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଫସିଯାଇଛନ୍ତି ରାଇରଙ୍ଗପୁର ପୋଷ୍ଟାଲ୍‌ ଇନ୍‌ସପେକ୍ଟର ସଂଜିତ କୁମାର ବେହେରା। ଆଜି ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ ଝାରଘୋଷଡ଼ା ବ୍ରାଞ୍ଚର ପୋଷ୍ଟ ମାଷ୍ଟର ସୁକାନ୍ତ ମହାକୁଡ଼ଙ୍କ ପାଖରୁ ସେ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍‌ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ ଶ୍ରୀ ବେହେରା ରାଇରଙ୍ଗପୁର ଓ କରଞ୍ଜିଆ ଉପଖଣ୍ଡରେ ଥିବା ସମସ୍ତ ପୋଷ୍ଟାଲ୍‌ ବ୍ରାଞ୍ଚର ଆକାଉଣ୍ଟ ତଦାରଖ ଦାୟିତ୍ୱରେ ଥିଲେ। ବ୍ରାଞ୍ଚ ଗୁଡିକରୁ ମୋଟା ଅଙ୍କର ଲାଞ୍ଚ ନେଉଥିବା ସଂପର୍କରେ ସିବିଆଇ ନିକଟରେ ପୂର୍ବରୁ ସୂଚନା ରହିଥିଲା। ଆଜି ଅପରାହ୍ନରେ ୪ଟା ୩୦ ସମୟରେ ରାଇରଙ୍ଗପୁର ମୁଖ୍ୟ ଡାକଘର ପରିସର ମଧ୍ୟରେ ଇନ୍‌ସପେକ୍ଟର ଶ୍ରୀ ବେହେରା ଝାରଘୋଷଡ଼ା ପୋଷ୍ଟ ମାଷ୍ଟର ଶ୍ରୀ ମହାକୁଡ଼ଙ୍କ ପାଖରୁ ୧୫ ହଜାର ଲାଞ୍ଚ ନେଉଥିଲେ।

ଶୁକ୍ରୁଳି ବ୍ଲକ ଝାରଘୋଷଡ଼ା ଶ୍ରୀ ମହାକୁଡ଼ଙ୍କ ପୁରୁଣା ଆଲାଉନ୍‌ସ ସବୁ ପାସ୍‌ କରିବା ବାବଦକୁ ଇନ୍‌ସପେକ୍ଟର ଶ୍ରୀ ବେହେରା ପୂର୍ବରୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଶ୍ରୀ ମହାକୁଡ଼ ଭୁବନେଶ୍ୱର ସିବିଆଇ ଅଫିସ ସହ ଯୋଗାଯୋଗ କରି ଅଭିଯୋଗ କରିଥିଲେ। ଗତକାଲି ଭୁବନେଶ୍ୱରରୁ ୧୨ଜଣିଆ ସିବିଆଇ ଟିମ୍‌ ଆସି ରାଇରଙ୍ଗପୁରରେ ଥିଲେ। ଆଜି ଅପରାହ୍ନରେ ପୋଷ୍ଟାଲ୍‌ ଇନ୍‌ସପେକ୍ଟର ଶ୍ରୀ ବେହେରା ଓ ପୋଷ୍ଟ ମାଷ୍ଟର ଶ୍ରୀ ମହାକୁଡ଼ଙ୍କ ମଧ୍ୟରେ ମୁଲଚାଲ ପରେ ୧୫ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ସିବିଆଇ ଟିମ୍‌ ଧରିଥିଲା। ପରେ ସିବିଆଇ ଟିମର ୭/୮ଜଣ ସଦସ୍ୟ ଶ୍ରୀ ବେହେରାଙ୍କ ଇଚିଣ୍ଡାସ୍ଥିତ ଶ୍ୱଶୂର ଘର ଓ କୁସୁମୀ ବ୍ଲକରେ ଥିବା ପେତୃକ ଘରେ ଚଢ଼ାଉ ଜାରି ରଖିଥିବା ସିବିଆଇ ଟିମ୍‌ ସୂତ୍ରରୁ ସୂଚନା ମିଳିଛି। ସିବିଆଇ ଏସପି ପ୍ରମୋଦ କୁମାର ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ପ୍ରଫୁଲ୍ଲ ମିଶ୍ର ଓ ଇନ୍‌ସପେକ୍ଟର ସୁବାସ ଚନ୍ଦ୍ରଙ୍କ ନେତୃତ୍ୱରେ ୧୨ଜଣିଆ ଟିମ୍‌ ଚଢ଼ାଉ ଟିମ୍‌ରେ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର