ବିଜେଡ଼ିରୁ ଇସ୍ତଫା ଦେଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

ଭୁବନେଶ୍ୱର: ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ଆଜି ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଦଳରେ ତାଙ୍କୁ ଅଣଦେଖା କରାଯାଇଛି। କନ୍ଧମାଳ ଓ ନୟାଗଡ଼ରେ ଭଲ କାମ କରିଥିଲେ ହେଁ ମୋ କାମକୁ ଅଣଦେଖା କରାଯାଇଛି ବୋଲି କହିଛନ୍ତି ପ୍ରତ୍ୟୁଷା । ବିଧାୟକ ଅରୁଣ ସାହୁ ଓ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ । ବିଜେଡ଼ି ସୁପ୍ରିମୋ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଘୋଷଣା କରିଥିଲେ ହେଉଁ ମୋତେ ଟିକେଟ ମିଳିଲା ନାହିଁ ।

ସୂଚନାଯୋଗ୍ୟ କି, ତାଙ୍କୁ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ କନ୍ଧମାଳ ଲୋକସଭା କ୍ଷେତ୍ର ଲାଗି ପ୍ରାର୍ଥୀ କରାଯାଇ ନ ଥିଲା। ଏହାପରେ ସେ ଦଳର ସଭାପତିଙ୍କୁ ଭେଟି ନୟାଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ଗତକାଲି ସେ ଗଣମାଧ୍ୟମକୁ କହିଥିଲେ ଯେ ଯଦି ଦଳପକ୍ଷରୁ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୂଚନା ନ ଦିଆଯାଏ, ତେବେ ସେ ସ୍ୱାଧୀନ ଭାବେ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବାକୁ ପଛାଇବେ ନାହିଁ।

ସମ୍ବନ୍ଧିତ ଖବର