କନ୍ଧମାଳରେ କମୁନି ଜନନୀ ଯନ୍ତ୍ରଣା: ନଦୀରେ ପୋଲ ନଥିବାରୁ ୪ କିଲୋମିଟର ଭାରରେ ବୁହା ହେଲେ ପ୍ରସୂତି

ଫୁଳବାଣୀ: ସରକାରଙ୍କ ଯୋଜନା ପରେ ଯୋଜନା କରୁଛନ୍ତି। ତା’ସତ୍ତ୍ୱେ କନ୍ଧମାଳରେ କମୁନି ଜନନୀ ଯନ୍ତ୍ରଣା। ଗତ ହୁଡୁହୁଡୁ ବାତ୍ୟାରେ ଭାଙ୍ଗି ଯାଇଥିବା ପୋଲ ଆଜି ସୁଦ୍ଧା ନିର୍ମାଣ ହୋଇ ପାରି ନ ଥିବାରୁ ଜଣେ ପ୍ରସୂତି ମହିଳାଙ୍କୁ ଭାରରେ ୪ କିଲୋମିଟର ବୋହିବାକୁ ପଡିଛି। ଏହି ଘଟଣା ଘଟିଛି ଚକାପାଦ ବ୍ଲକ ଜୁଇଖୋଲ ଗାଁରେ। ଏହି ଗାଁରୁ ରାଇପଦାକୁ ଯିବାକୁ ପଡେ ଏକ ନଦୀ। ନଦୀରେ ପୋଲ ନିର୍ମାଣ ହୋଇଥିଲା। ହେଲେ ବାତ୍ୟାରେ ପୋଲ ନଷ୍ଟ ହୋଇଯାଇଥିଲା।

ପୋଲ ନିର୍ମାଣ ନ ହେବା ଫଳରେ ଗ୍ରାମବାସୀଙ୍କ ସମେତ ଆଖାପାଖ ଗାଁ ଲୋକ ବର୍ଷା ଦିନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ଆଜି ଅପରାହ୍ନରେ ବସନ୍ତ ପ୍ରଧାନଙ୍କ ପତ୍ନୀ ବାରିବତୀ ପ୍ରଧାନଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନସକୁ ଫୋନ କରାଯାଇଥିଲା। ଫୋନ କଲ ପାଇ ଆମ୍ବୁଲାନସ ରାଇପଦା ଗାଁ ମୁଣ୍ଡରେ ପହଞ୍ଚିଥିଲା। ତାପରେ ବାରିବତୀଙ୍କୁ ଗାଁରୁ ୪ କିଲୋମିଟର ଭାରରେ ବୁହା ହୋଇ ୨-୩ ଫୁଟ ପାଣିରେ ନଦୀ ପାର ହୋଇ ରାଇପଦା ଗାଁ ମୁଣ୍ଡକୁ ଅଣାଯାଇଥିଲା।

ସେଠାରୁ ଆମ୍ବୁଲାନସ ଯୋଗେ ବାରିବତୀଙ୍କୁ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ମା ଓ ଶିଶୁ କନ୍ୟା ସୁସ୍ଥ ଥିବା ଜଣା ପଡିଛି। ଗମନାଗମନର ସୁବିଧା ପାଇଁ ରାସ୍ତା ଓ ପୋଲ ନିର୍ମାଣରେ ସରକାର କୋଟକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗତ ବାତ୍ୟାରେ ନଷ୍ଟ ହୋଇଥିବା ପୋଲ ନିର୍ମାଣ ନ ହେବା ଅଞ୍ଚଳବାସୀଙ୍କ ପାଇଁ ଅଭିଶପ୍ତ ପାଲଟିଛି। ତୁରନ୍ତ ସେଠାରେ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର