ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ଖରାପ ଥିବାରୁ ଯାଇପାରିଲାନି ୧୦୮ ଆମ୍ବୁଲାନ୍‌ସ, ୩ କିଲୋମିଟର ବୁହାହେଲେ ଗର୍ଭବତୀ

ଖଡ଼ିଆଳ: ପୁଣି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଭଲ ରାସ୍ତାଟିଏ ନ ଥିବାରୁ ୧୦୮ ଆମ୍ବୁଲାନ୍‌ସ ଗାଁକୁ ଯାଇପାରି ନାହିଁ। ଶେଷରେ ଗ୍ରାମବାସୀ ଜଣେ ଗର୍ଭବତୀଙ୍କୁ ଦୀର୍ଘ ୩ କିଲୋମିଟର ରାସ୍ତା ଝୁଲାରେ ବୋହିବା ପରେ ଶେଷରେ ନେଇ ଡାକ୍ତରଖାନାରେ ନେଇ ପହଞ୍ଚାଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଆଜି (ଗୁରୁବାର) ଘଟିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କପରଗଡ଼ ଗାଁରୋ

ରିପୋର୍ଟ ଅନୁସାରେ ଆଜି ସକାଳେ କପରଗଡ଼ ଗାଁର ଉମାଶଙ୍କର ମାଝୀଙ୍କ ସ୍ତ୍ରୀ ଘରମଣୀ ମାଝୀଙ୍କୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ତ୍ରୀଙ୍କୁ ହସ୍‌ପିଟାଲ୍‌ ନେବା ପାଇଁ ଉମାଶଙ୍କର ସ୍ଥାନୀୟ ଆଶାକର୍ମୀ ଧନମତି ମାଝୀ ଓ ଏଏନ୍‌ଏମ୍‌ ସନ୍ତୋଷିନୀ ବୈଠାରୁଙ୍କୁ ଫୋନ୍‌ରେ ଜଣାଇଥିଲେ। ଏହା ପରେ ଆଶାକର୍ମୀ ଓ ଏଏନ୍‌ଏମ୍‌ ଏବାବଦରେ ଆମ୍ବୁଲାନ୍‌ସକୁ ଜଣାଇଥିଲେ। ମାତ୍ର ରାସ୍ତା ଖରାପ ଥିବାରୁ ଗାଁକୁ ଆମ୍ବୁଲାନ୍‌ସ ଆସିପାରି ନ ଥିଲା । ତେଣୁ ବାଧ୍ୟ ହୋଇ ଗ୍ରାମବାସୀମାନେ ଡାକ୍ତରଖାନା ତରଫରୁ ପୂର୍ବରୁ ଦିଆଯାଇଥିବା ଷ୍ଟ୍ରେଚରରେ ଘରମଣୀଙ୍କୁ ଏକ ଝୁଲାରେ ବୋହିବା ପରି ବୋହି ଡାକ୍ତରଖାନାକୁ ନେଇଥିଲେ। ଗ୍ରାମବାସୀମାନେ ଦୀର୍ଘ ୩ କିଲୋମିଟର  ପର୍ଯ୍ୟନ୍ତ ଏହି ଝୁଲା ସଦୃଶ ଷ୍ଟ୍ରେଚରରେ ବୋହି ଗର୍ଭବତୀଙ୍କୁ ଶେଷରେ ନେଇ ଖଡ଼ିଆଲ ସରକାରୀ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ଡାକ୍ତରୀ ଚିକିତ୍ସା ପରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କରିକିଟା ଗ୍ରାମ ପଞ୍ଚାୟତର କପରଗଡ ଗାଁ ପାହାଡ ଉପରେ ଅଛି। ଗାଁ କୁ ଯିବାକୁ ଭାଲ ରାସ୍ତାଟିଏ ନ ଥିବାରୁ ଲୋକେ ପାହାଡ଼ିଆ ରାସ୍ତାରେ ଯିବା ଆସିବା କରିଥାନ୍ତିି ।

ସୂଚନାଯୋଗ୍ୟ ଘରମଣୀଙ୍କ ଏହା ଦ୍ୱିତୀୟ ସନ୍ତାନ ଅଟେ। ସେ ଦେଢ଼ ବର୍ଷ ତଳେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମାତ୍ର ଜନ୍ମ ହେବାର ଅଳ୍ପ ସମୟ ମଧ୍ୟରେ ନବଜାତକର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର