ପୂଜା ଛୁଟି ପୂର୍ବରୁ ମିଳିଲାନି ଦରମା, ବିଧାୟକଙ୍କୁ ଭେଟିଲେ ଶିକ୍ଷକ ସଂଘ ସଭାପତି

ତୁମୁଡିବନ୍ଧ: ପୂଜା ଛୁଟି ପୂର୍ବରୁ ଶିକ୍ଷକମାନଙ୍କୁ ଦରମା ମିଳି ନାହିଁ। ଫଳରେ କ୍ଷୋଭଭରା ଶିକ୍ଷକ ସଂଘ ପକ୍ଷରୁ ନିଜେ ସଭାପତି ବିଧାୟକଙ୍କୁ ଏବାବଦରେ ଜଣାଇଛନ୍ତି। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ଦଶହରା ଛୁଟି ପୂର୍ବରୁ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ତୁମୁଡିବନ୍ଧ ବ୍ଲକର ପ୍ରାୟ ୮୦ ଜଣ ନିୟମିତ ଶିକ୍ଷକଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯାହା ଫଳରେ ଦଶହରା ପୂଜାଛୁଟି ପୂର୍ବରୁ ୮୦ ଜଣ ଶିକ୍ଷକଙ୍କ ପରିବାର ବର୍ତ୍ତମାନ ଖୁସିରେ ପୂଜା ଛୁଟି ପାଳନ କରିବାରୁ ବଞ୍ଚିତ ହୋଇଛନ୍ତି। ସେହିପରି ପୂଜା ଅଗ୍ରୀମ ଟଙ୍କା ପ୍ରଦାନରେ ମଧ୍ୟ ପାତର ଅନ୍ତର ନୀତି କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶରତ ଚନ୍ଦ୍ର ଦେଶୀନାୟକ।

ଏହିଭଳି ଅଭିଯୋଗକୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀ ଦେଶୀନାୟକ। ବିଧାୟକ ଶ୍ରୀ କହଁର ଉକ୍ତ ଅଭିଯୋଗ ଶୁଣି କ୍ଷୋଭ ପ୍ରକାଶ କରିଥିଲେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ କରିଥିଲେ କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ବିଧାୟକଙ୍କ ଫୋନ ର ଉତ୍ତର ଦେଇନଥିଲେ। ଏନେଇ ତୁମୁଡିବନ୍ଧ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଆମେ ନିର୍ଦ୍ଧାରିତ ସମୟ ମଧ୍ୟରେ ଟ୍ରେଜେରୀକୁ ବିଲ ପଠାଇଛୁ କିନ୍ତୁ କେଉଁ କାରଣରୁ ବିଲ ଗୁଡ଼ିକ ଅଟକି ରହିଲା ତାହା ଛୁଟି ଯୋଗୁଁ ଜଣାପଡିଲା ନାହିଁ। ଛୁଟି ପରେ ଘଟଣା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର