ନବରଙ୍ଗପୁରରେ ବିଚାରାଧୀନ କଏଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ନବରଙ୍ଗପୁର: ଜଣେ ବିଚାରାଧୀନ କଏଦୀର ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ହେଲା ପୁରସତୀ ଖଡ଼ା। କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ସଭାପୁଟ ଗ୍ରାମର ପୁରସତୀ ଖଡ଼ା । ୨୦୧୯ ମସିହା ସେପ୍ଟେମ୍ବର ମାସ ୨୩ ତାରିଖ ଠାରୁ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସେ ବିଚାରାଧୀନ କଏଦୀ ଭାବେ ନବରଙ୍ଗପୁର ଉପକାରାଗାରରେ ଥିଲେ।

ସୂଚନା ଅନୁସାରେ ପୁରସତୀଙ୍କୁ ଯକୃତ ଜନିତ ରୋଗର ଚିକିତ୍ସା ପାଇଁ ଗତ ୪ ତାରିଖରୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗତ ୩ ତାରିଖ ଦିନ ତାଙ୍କ ଦେହ ଖରାପ ହେବା ପରେ ୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଶନିବାର ରାତ ତାଙ୍କ ଅବସ୍ଥା ଗୁରୁତର ହେବାପରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖାହେଲା ବେଳକୁ ଶବ ବ୍ୟବଛେଦ ହୋଇ ନାହିଁ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର