ପୁଣି ଥରେ ଶ୍ରୀମନ୍ଦିରରେ ସେଲଫି ଉଠାଇବା ଘଟଣା: ଅଡୁଆରେ ପଡ଼ିଲେ ଭକ୍ତ

ପୁଣି: ଶ୍ରୀମନ୍ଦିର ବାହ୍ୟ ଓ ଭିତର ପାର୍ଶ୍ୱରେ କଡା କଟକଣା ସତ୍ତ୍ୱେ ବି ମନ୍ଦିର ଭିତରେ ଫଟୋ ଉଠାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ମନ୍ଦିର ସହିତ ସେଲଫି ନେଇଥିବାର ଏକ ଫଟୋକୁ ସେ ସୋସିଆଲ ମିଡିଆରେ ଛାଡ଼ିଛନ୍ତି,  ଯାହାକି ଭାଇରାଲ ହୋଇଛି।

ସୂଚନାଯୋଗ୍ୟ, ଯୁଗଳ କିଶୋର ବୈଷ୍ଣବ ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ସେଲଫି ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି କି, ଏତେ କଡା କଟକଣା ସତ୍ତ୍ୱେ ବି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଯାଉଛି?  ଏଥି ପ୍ରତି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌ ନୁହେଁ କି? ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି।

ପୂର୍ବରୁ ଫେସବୁକରେ ପୁରୀ ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ଭାଇରାଲ ହୋଇଥିଲା। ତେବେ ରଥଯାତ୍ରା ବେଳେ ଏଏସଆଇର ଗର୍ଭଗୃହ ଅନୁଧ୍ୟାନ ସମୟର ଫଟୋ ବୋଲି ଅନୁମାନ କରାଯାଇଥିଲା। ପ୍ରତିବର୍ଷ ରଥଯାତ୍ରା ବେଳେ ଗର୍ଭଗୃହର ସ୍ଥିତିକୁ ଏଏସଆଇ ଓ ଅନ୍ୟ ସଂସ୍ଥା ଅନୁଧ୍ୟାନ କରିଥାନ୍ତି ।

ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ନେଇ ସେବାୟତ ଖପ୍ପା ହୋଇଥିଲେ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେବାୟତମାନେ ଦାବି କରିଥିଲେ। ଏଏସଆଇ ଟିମର ଗର୍ଭଗୃହ ଅନୁଧ୍ୟାନ ପୂର୍ବରୁ ସର୍ଭେ ପାଇଁ ଆସିଥିବା ସଦାନନ୍ଦ ଶର୍ମା ଗର୍ଭଗୃହ ଫଟୋକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ ବୋଲି ଜଣାପଡ଼ିଥିଲା। ତେବେ ଏନେଇ ଥିବା କଟକଣା ସଂପର୍କରେ ସେ ଅନଭିଜ୍ଞ ଥିଲେ ଏବଂ ଫଟୋ ଭାଇରାଲ ହେବା ପରେ ଏକ ଇମେଲ ଜରିଆରେ ସେ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।

ପୂର୍ବରୁ ମଧ୍ୟ କିଛି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ସେଲଫି ନେଇ ନିଜ ଫେସବୁକରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଥିଲା । ଏମିତି କି ଗୁଣ୍ଡିଚା ମନ୍ଦିରର ରତ୍ନସିଂହାସନରେ ବିଜେ ମହାବାହୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା ।

ସମ୍ବନ୍ଧିତ ଖବର