ଆସନ୍ତାକାଲି ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ ନେପାଳ ନରେଶ, ସାଧାରଣ ଦର୍ଶନ ବନ୍ଦ ରହିବ ୩ ଘଣ୍ଟା

ପୁରୀ: ନେପାଳର ରାଜା ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହ ରବିବାର ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ। ସେଥିପାଇଁ ଶ୍ରୀମନ୍ଦିର ୩ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ମିଳିଥିବା ସୂଚନା ଅନୁସାରେ ନେପାଳ ରାଜା ଶ୍ରୀମନ୍ଦିର ପରିସରେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ରହିବେ। ଏହାରି ଭିତରେ ସେ ଶ୍ରୀଜିଉମାନଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ। ଗତ ଫେବ୍ରୁଆରି ୬ରେ ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ରାଜା ଆଗାମୀ ୧୨ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବେ।

ଏକମାତ୍ର ବିଦେଶୀ ଭାବରେ ନେପାଳର ରାଜା ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ପୂଜା କରିଥାନ୍ତି। ତାଙ୍କୁ ଗଜପତିଙ୍କ ଭଳି ଅଧିକାର ଦିଆଯିବା ପଛରେ ଅନେକ କାରଣ ରହିଛି। ଅତୀତରେ ନେପାଳ ରାଜାମାନେ ଶ୍ରୀମନ୍ଦିରକୁ ଅନେକ ଶାଳଗ୍ରାମ ଦେଇଥିଲେ। ରାଜା ଜ୍ଞାନେନ୍ଦ୍ର ଏକ ସ୍ୱତନ୍ତ୍ର ନୀତି ଅନୁସାରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ। ପୁରୀ ଗଜପତି ରାଜା ଯେମିତି ଦର୍ଶନ କରଥାନ୍ତି, ନେପାଳର ରାଜା ମଧ୍ୟ ସେମିତି ଦର୍ଶନ କରିବେ। ଏହା ପୂର୍ବରୁ ରାଜା ଜ୍ଞାନେନ୍ଦ୍ର ୨୦୦୩ରେ ପୁରୀ ଆସିଥିଲେ। ସେହିଭଳି ତାଙ୍କର ବଡ଼ଭାଇ ୧୯୯୩ରେ ଆସିଥିବା ବେଳେ ୧୯୬୫ରେ ତାଙ୍କର ପିତା ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।

ପୁରୀରେ ଏକ ସ୍ୱତନ୍ତ୍ର ନୀତି ଅନୁସାରେ ରାଜା ଜ୍ଞାନେନ୍ଦ୍ର ପୂଜା କରିବେ। ପୂଜା ସମୟରେ ବେଢ଼ା ଭିତରେ ଥିବା ସମସ୍ତ ମନ୍ଦିରରେ ତାଲା ପଡ଼ିବ। ମନ୍ଦିର ଭିତରେ ନେପାଳର ପାରମ୍ପରିକ ବେଶରେ ସେ ପୁରୀ ଗଜପତି ମହାରାଜଙ୍କ ଭଳି ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବା ସହିତ ସେହି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହି ସମୟରେ ସାଧାରଣ ଦର୍ଶକ ଓ ସେବାୟତମାନେ ମଧ୍ୟ ମନ୍ଦିର ପରିସରରେ ରହି ପାରିବେ ନାହିଁ। ନେପାଳ ନରେଶଙ୍କ ପୁରୀ ଗସ୍ତକୁ ନଜରରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର