କଣ୍ଟିରେ ଘନଘନ ବୋମାମାଡ଼: ୨ଗୁରୁତର

୨ ଗିରଫ, ବନ୍ଧୁକ ଜବତ, ୨ପ୍ଲାଟୁନ ଫୋର୍ସ ମୁତୟନ

ପିପିଲି : ପିପିଲି ଥାନା ଅନ୍ତର୍ଗତ କଂଟି ଗାଁରେ ଆଜି ପୂର୍ବାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘଟିତ ତୁହାକୁ ତୁହା ବୋମାମାଡ଼ ଘଟଣା ଅଂଚଳବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ପ୍ରାୟ ଏକ ଘଣ୍ଟା ଧରି ୨୦ରୁ ଅଧିକ ବୋମାମାଡ଼ରେ ସମଗ୍ର ଗାଁ ଥରି ଉଠିଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ରାଜନୈତିକ ଗୋଷ୍ଠୀ ସଂଘର୍ଷ ଓ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଜଣାଯାଇଛି । ଏହି ଘଟଣାରେ ପୁଲିସ ଗାଁର ୨ଜଣ ଅଭିଯୁକ୍ତ ଆନନ୍ଦ ସୁବୁଦ୍ଧି ଓ ରତ୍ନାକର ସ୍ୱାଇଁଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ଗାଁରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରି ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛିି । ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଶନିବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାବେଳେ ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ମଧ୍ୟରେ ଆକ୍ଷେପ ଓ ପ୍ରତିଆକ୍ଷେପକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇ ପରସ୍ପର ଉପରକୁ ବୋମା ଫିଙ୍ଗିଥିଲେ । ଏଥିରେ ବଡ଼କଂଟି ଗାଁର ରାମଚନ୍ଦ୍ର ଦଳେଇ(୩୫) ଓ କୃଷ୍ଣଚନ୍ଦ୍ର ପ୍ରଧାନ(୭୦) ଗୁରୁତର ଆହାତ ହୋଇଛନ୍ତି । ଉଭୟଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି । ରାମଚନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପରିବାର ସୂତ୍ରରୁ ଜଣାଯାଇଛି । ଉଭୟେ ଚିକିତ୍ସା ପାଇଁ ପ୍ରଥମେ ପିପିଲି ସରକାରୀ ହସ୍ପିଟାଲରେ ଭର୍ତି ହୋଇଥିଲେ । ସେଠାରୁ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । ପରେ ରାମଚନ୍ଦ୍ରଙ୍କୁ ସେଠାରୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ ଗତ ପଂଚାୟତ ନିର୍ବାଚନ ପରଠାରୁ କଂଟିରେ ଉତ୍ତେଜନା ଲାଗି ରହିଛି । ଏହା ପୂର୍ବରୁ ସେଠାରେ ଏକାଧିକ ରାଜନୈତିକ ଗଣ୍ଡଗୋଳ ଘଟି ଥାନାରେ ମାମଲା ରୁଜୁ ହୋଇଛି । ଗତ ମାର୍ଚ୍ଚ ୨୩ ତାରିଖ ରାତି ୧୦ଟାରେ ଉକ୍ତ ବଜାରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଟିଏ ଗୋଷ୍ଠୀର ବୋମାମାଡ଼ରେ ବଡ଼କଂଟି ଗାଁର ପରିବା ବ୍ୟବସାୟୀ ଅର୍ତତ୍ରାଣ ପ୍ରଧାନ(୪୯) ଗୁରୁତର ଆହତ ହୋଇଥିଲେ । ତାଙ୍କର ଡ଼ାହାଣ ଗୋଡ଼ର ପାଦ ଛିଣ୍ଡି ଯିବା ସହ ବାମ ଗୋଡ଼ ଭାଙ୍ଗି ଯାଇଥିଲା । ସେହିପରି ଗତ ଅକ୍ଟୋବର ୬ତାରିଖ ରାତି ୮ଟାରେ ଉକ୍ତ ଛକରେ ୧୦ରୁ ଅଧିକ ବୋମାମାଡ଼ ହୋଇଥିଲା ।

ସମ୍ବନ୍ଧିତ ଖବର