ବାଇକ୍‌ ଦୁର୍ଘଟଣାରେ ୫ ଗୁରୁତର

ପୁରୀ: ରାତିରେ ବାଇକ୍ ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ବୁଧବାର ରାତି ପ୍ରାୟ ୯ଟା ବେଳକୁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣ ଗୁରୁତର ଆହତ ହୋଇଥିଲେ। ବୀରହରେକୃଷ୍ଣପୁର ବାଟଗାଁର ନୂଆଗାଁ ନିବାସୀ ଗଣେଶ ବେହେରା (୨୧) ଓ ମହନ୍ତ ମେଣ୍ଟା (୩୬) ଓଆର୍-୧୩-ଇ-୧୫୨୧ ନମ୍ବର ବାଇକ୍‌ରେ ନିଜ ଗାଁରୁ ସତ୍ୟବାଦୀକୁ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିଲେ। ଦୁହେଁ ଚନ୍ଦନପୁର ଥାନା ଅନ୍ତର୍ଗତ ତୁଳସୀଚଉରା ଛକ ନିକଟରେ ପହଞ୍ଚିବା ବେଳେ ସମ୍ମୁଖରୁ ଆସୁଥିବା ଓଆର୍-୦୨-ଏଏଫ୍-୧୬୯୩ ନମ୍ବର ବାଇକ୍ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ୍‌ରେ ଥିବା ସତ୍ୟବାଦୀ ଥାନା ଭାଟପୁର ନିବାସୀ ଚରଣ ଜେନା (୩୭), ବରାଳ ବାଲୁଙ୍କେଶ୍ବର ନିବାସୀ ସନ୍ତୋଷ ମହାପାତ୍ର (୩୦), ଗଣେଶ ବେହେରା ଓ ମହନ୍ତ ମେଣ୍ଟା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶୁ ଚିକିତ୍ସା ପରେ ଚନ୍ଦନପୁର ଥାନା ପୁଲିସ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସେହିପରି ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ୍‌ରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଚାଳକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆହତ ବାଇକ୍‌ ଚାଳକ ଜଣକ ବାଲିଗୁଆଳି ଗ୍ରାମର ବିଦୁର ବେହେରା (୩୦) ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର