ଥାନା ଭିତରେ ଅଭିଯୋଗକାରିଣୀଙ୍କୁ ଆକ୍ରମଣ : ବାଦ୍ ପଡ଼ିଲେନି ମହିଳା ଏସ୍ଆଇ, ଅଭିଯୁକ୍ତ ଗିରଫ

ଡେଲାଙ୍ଗ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ଗ୍ରାମର ଜଣେ ମହିଳା ଅଭିଯୋଗ କରିବାକୁ ଆସିଥିବା ବେଳେ ଥାନା ମଧ୍ୟରେ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିଛନ୍ତି। ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ଜଣକ ମହିଳା ଏସ୍ଆଇଙ୍କୁ ମଧ୍ୟ ଆକ୍ରମଣ କରିଛି। ସୂଚନା ଅନୁଯାୟୀ, ଅରିଶଲ ଗ୍ରାମର ପ୍ରତିମା ଦାସ ଓ ଅଭିଯୁକ୍ତ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ମଧ୍ୟରେ ଜାଗାବାଡ଼ିକୁ କେନ୍ଦ୍ର କରି ପୂର୍ବରୁ ବିବାଦ ଲାଗି ରହିଥିଲା। ଏ ନେଇ ଉଭୟଙ୍କ ପକ୍ଷରୁ ମାନ୍ୟବର ନ୍ୟାୟାଳୟଙ୍କ ନିକଟରେ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ପ୍ରତିମାଙ୍କର ବିଜୟ ହୋଇଥିଲା। ଫଳରେ ସୌମେନ୍ଦ୍ର ଉତ୍‌କ୍ଷିପ୍ତ ହୋଇ ପ୍ରତିମାଙ୍କୁ ବାରମ୍ବାର ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏ ନେଇ ପ୍ରତିମା ଆଜି ଡେଲାଙ୍ଗ ଥାନାରେ ଅଭିଯୋଗ କରିବାକୁ ଆସିଥିବା ବେଳେ ସୌମେନ୍ଦ୍ର ତାଙ୍କୁ ଗାଳିଗୁଲଜ କରିବା ସହ ଭିତରକୁ ପୂରାଇ ଦେଇନଥିଲେ। ପ୍ରତିମା ଥାନା ଭିତରକୁ ଯିବା ବେଳେ ସୌମେନ୍ଦ୍ର ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ସମୟରେ ଥାନାରେ ଉପସ୍ଥିତ ଥିବା ମହିଳା ଏସ୍ଆଇ ଲତିକା ମହାରଣା ବିରୋଧ କରିବାରୁ ତାଙ୍କୁ ମଧ୍ୟ ସୌମେନ୍ଦ୍ର ଆକ୍ରମଣ କରିଥିଲେ। ଥାନା ପରିସରରେ ଅଭିଯୋଗକାରିଣୀ ଓ ଏସ୍‌ଆଇଙ୍କୁ ଆକ୍ରମଣ କରିଥିବାରୁ ଅଭିଯୁକ୍ତ ସୌମେନ୍ଦ୍ରଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର